ଜବରଦଖଲରେ ସରକାରୀ ଜାଗା, ପ୍ରଶାସନ ନୀରବ

ଖଣ୍ଡପଡା,୪ା୫(ସ୍ବ.ପ୍ର): ଦୀର୍ଘବର୍ଷ ଧରି ଖଣ୍ଡପଡ଼ା ତହସିଲ ଅଧୀନ କୁମ୍ଭାରପଡ଼ା ଗ୍ରାମରେ ଏକର ଏକର ସରକାରୀ ଜାଗା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜବରଦଖଲ କରି କବ୍‌ଜାରେ ରଖିଛନ୍ତି। ସରକାରୀ ଜାଗା, ପ୍ରଭୁ ଶ୍ରୀଜଗନ୍ନାଥ ଜୀଉଙ୍କ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି, ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଛନ୍ତି। କେହି କେହି ବାଡ଼ବନ୍ଦି କରି ଫାର୍ମ ହାଉସ କରିବା ସହ ମୋ ପୋଖରୀ ଯୋଜନାରେ ପୋଖରୀ ଖନନ କରିଥିବା ଅଭିଯୋଗ ହେଉଛି। ପ୍ରଶାସନ ଏହି ମୂଲ୍ୟବାନ ସରକାରୀ ଜାଗାକୁ ଜବରଦଖଲକାରୀମାନଙ୍କୁ ହଟାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା ଓ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୁମ୍ଭାରପଡା ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ, ଖଣ୍ଡପଡ଼ା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ଏଲଆଇ କାର୍ଯ୍ୟାଳୟ ନିର୍ମାଣ, କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟର ନୂତନ ଖେଳପଡ଼ିଆ ନିର୍ମାଣ ସହ ଅନ୍ୟ ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ହୋଇଛି। ମାତ୍ର ଜବରଦଖଲକାରୀମାନେ ବିଭିନ୍ନ ସ୍ଥାନରେ ସରକାରୀ ଜାଗା, ଗୋଚର ଜମି ଓ ସଂରକ୍ଷିତ ଜଙ୍ଗଲ ଜମିକୁ ଅନଧିକାର ଭାବେ ଦଖଲ କରିଥିବାରୁ ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଉପଯୁକ୍ତ ଜାଗାର ଅଭାବ ଦେଖା ଦେଇଛି। ତେବେ ସରକାରୀ ଜାଗାକୁ ଚିହ୍ନଟ କରି ଉକ୍ତ ସ୍ଥାନରୁ ଜବରଦଖଲକାରୀମାନଙ୍କୁ ହଟାଇବା ନିମନ୍ତେ ଖଣ୍ଡପଡ଼ା ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଲିପସା ରାୟଙ୍କୁ ପଚାରିବାରେ ସରପଞ୍ଚ ଏନେଇ ଅଭିିଯୋଗ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।