ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିଥିବା ବେଳେ, ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଶ୍ରମିକ ଓ ଛାତ୍ରମାନଙ୍କୁ ଶସ୍ତା ଏବଂ ସହଜରେ ରୋଷେଇ ଗ୍ୟାସ ଯୋଗାଇ ଦେବା ପାଇଁ ସରକାର ୫ କିଲୋ LPG ସିଲିଣ୍ଡର (ଛୋଟୁ)ର ଦୈନିକ ବରାଦ ବା ଆଲୋଟମେଣ୍ଟକୁ ଦ୍ୱିଗୁଣା କରିଦେଇଛନ୍ତି।
ସହରୀ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ୫ କିଲୋ ବିଶିଷ୍ଟ ଫ୍ରି ଟ୍ରେଡ୍ LPG ସିଲିଣ୍ଡର ଲଞ୍ଚ କରାଯାଇଥିଲା। ସାଧାରଣ ଘରୋଇ ଗ୍ୟାସ କନେକ୍ସନ ପାଇଁ ଠିକଣା ପ୍ରମାଣ ଜରୁରୀ ହୋଇଥାଏ, ଯାହା ଅନେକ ଶ୍ରମିକଙ୍କ ପାଖରେ ନ ଥାଏ। ଫଳରେ ସେମାନେ ବାହାରୁ ଚୋରା ଦରରେ ଅଧିକ ଟଙ୍କା ଦେଇ ଗ୍ୟାସ କିଣିବାକୁ ବାଧ୍ୟ ହୁଅନ୍ତି। ’ଛୋଟୁ’ ସିଲିଣ୍ଡର ପାଇଁ କେବଳ ପରିଚୟ ପତ୍ର ଦେଖାଇ ଗ୍ୟାସ ପାଇପାରିବେ।
ବ୍ୟବହାରକାରୀ ଚାହିଁଲେ ସିଲିଣ୍ଡରକୁ ଫେରସ୍ତ କରି ଟଙ୍କା ମଧ୍ୟ ପାଇପାରିବେ।
ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଉଥିବା ଅତିରିକ୍ତ ସିଲିଣ୍ଡରର ପରିମାଣ ମାର୍ଚ୍ଚ ମାସର ହାରାହାରି ଯୋଗାଣ ଆଧାରରେ ସ୍ଥିର କରାଯିବ। ଏହି ନୂଆ କୋଟା ପୂର୍ବରୁ ସ୍ଥିର ହୋଇଥିବା୨୦% ସୀମା ବାହାରେ ଅତିରିକ୍ତ ଭାବେ ଦିଆଯିବ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଅତିରିକ୍ତ ସିଲିଣ୍ଡର କେବଳ ପ୍ରବାସୀ ଶ୍ରମିକ ଏବଂ ଛାତ୍ରମାନଙ୍କ ପାଇଁ ହିଁ ବ୍ୟବହାର କରାଯିବ। ଏହି ବିତରଣ ପ୍ରକ୍ରିୟାରେ ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକର ସାହାଯ୍ୟ ନିଆଯିବ।
ଏହି ନିଷ୍ପତ୍ତି ଫଳରେ ବିଶେଷ କରି ସେହି ଶ୍ରମିକମାନେ ଉପକୃତ ହେବେ, ଯେଉଁମାନେ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇ ରହୁଛନ୍ତି ଏବଂ ଠିକଣା ପ୍ରମାଣ ପତ୍ର ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି କୌଣସି ବି ଜରୁରୀ ପରିସ୍ଥିତିରେ ଯେପରି ଗରିବ ଲୋକଙ୍କ ରୋଷେଇ ଘର ଚୁଲି ବନ୍ଦ ନହୁଏ।

