Categories: ଜାତୀୟ

ସରକାର କିଛି ବି କରୁ ନାହାନ୍ତି-ରିପୋର୍ଟ ଭୁଲ୍‌, ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ଏନସିଆର୍‌ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟ ପୁଣି ଥରେ ସରକାରଙ୍କୁ ଭର୍ସନା କରିଛନ୍ତି। କୋର୍ଟ କହିଛନ୍ତି ସରକାର କିଛି ବି କରୁ ନାହାନ୍ତି, ରିପୋର୍ଟ ଭୁଲ। ପ୍ରଦୂଷଣ ହ୍ରାସ କରିବା ପାଇଁ କେଉଁ କାର୍ଯ୍ୟ କରିଛନ୍ତି ତାହା ସରକାରଙ୍କୁ ପୁଣି ଥରେ ସୁପ୍ରିମକୋର୍ଟ ପ୍ରଶ୍ନକୁ ପଚାରିଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ସମସ୍ୟା ହେଉଛି ଯେ ଲୋକମାନେ ଭାବୁଛନ୍ତି ଶୀର୍ଷ କୋର୍ଟରେ ସମାଧାନ ବାଟ ଫିଟୁଛି। ମାତ୍ର ଏପରିସ୍ଥଳେ ସରକାର କୌଣସି କାର୍ଯ୍ୟ କରୁନାହାଁନ୍ତି। କିଛି ଖବରକାଗଜ ରିପୋର୍ଟରେ ଉଲ୍ଲେଖ କରାଯାଇଛି କୋର୍ଟଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପରେ ପ୍ରଦୂଷଣ ୪୦ ପ୍ରତିଶତ ହ୍ରାସ ପାଇଛି। ଏହା କେତେ ଠିକ ତାହା କୋର୍ଟଙ୍କୁ ଜଣା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଅଦାଲତ କହିଛନ୍ତି ଯେ ବର୍ତ୍ତମାନ ଶ୍ରମିକମାନେ ଆମ ସହ ଯୋଗାଯୋଗ କରିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଉଚିତ। ଆସନ୍ତାକାଲି କୃଷକମାନେ ଆମଠାରୁ ଦାବି କରିବେ ଯେ ସେମାନଙ୍କୁ ନଡ଼ା ଜାଳିବା ପାଇଁ ଅନୁମତି ଦିଆଯାଉ। ଅଦାଲତ କହିଛନ୍ତି ଯଦିଓ ପ୍ରଦୂଷଣର ସ୍ତର ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଆମେ ଏହି ମାମଲା ବନ୍ଦ କରିବାକୁ ଯାଉନାହୁଁ। ଆମେ ଏହା ଉପରେ ଶୁଣାଣି ଜାରି ରଖିବୁ। ଏହା ସହିତ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର କରାଯିବ ବୋଲି କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ସରକାରଙ୍କୁ ୩ ଦିନ ସମୟ ଦିଆ ଯାଇଛି। ଏହି ମାମଲାର ଶୁଣାଣି ପ୍ରତିଦିନ ଅବା ପ୍ରତି ଦୁଇଦିନ ଅନ୍ତରରେ କରାଯିବ। ଏହା ସହିତ କୋର୍ଟ ଏୟାର କ୍ୱାଲିଟି ଇଣ୍ଡେକ୍ସ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ଏହା ୩୮୧ ରହିଛି। ମାତ୍ର ସରକାରଙ୍କ ପକ୍ଷରୁ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଏହା ୨୯୦ ରହିଛି। ଏହା କେବେ ମଧ୍ୟ ଠିକ ତଥ୍ୟ ନୁହେଁ। ଦିଲ୍ଲୀ ଏନସିଆର୍‌ ସ୍ଥିତିରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ। ଯଦିଓ ପୂର୍ବାପେକ୍ଷା ପ୍ରଦୂଷଣ ବର୍ତ୍ତମାନ ଟିକେ ହ୍ରାସ ପାଇଛି, କିନ୍ତୁ ଏହା ପୁଣି ଏକ ଗୁରୁତର ଅବସ୍ଥାରେ ପହଞ୍ଚିବାର ଆଶଙ୍କା ରହିଛି।

Share