Categories: ଜାତୀୟ

ସରକାର ଜାଣିଶୁଣି କରୁଛନ୍ତି ଲାଉଡସ୍ପିକର-ହନୁମାନ ଚାଳିସା ରାଜନୀତି…

ମୁମ୍ବାଇ, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଜାଣିଶୁଣି ଲାଉଡସ୍ପିକର ଏବଂ ହନୁମାନ ଚାଳିସା ରାଜନୀତି କରୁଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ଏଭଳି କରାଯାଉଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ଏ ସମ୍ପର୍କିତ ଏକ ଖବର ଶିବସେନା ମୁଖପତ୍ର ସାମନାରେ ପ୍ରକାଶିତ ହୋଇଛି।

ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଲାଉଡସ୍ପିକର ଏବଂ ହନୁମାନ ଚାଳିସା ବିବାଦ ଉପରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଶିବସେନା ପକ୍ଷରୁ ଏହାର ମୁଖପତ୍ର ସାମନାରେ ପ୍ରକାଶିତ ଏକ ଲେଖାରେ ଉଲ୍ଲେଖ କରାଯାଇଛି ଯେ, ଲାଉଡ ସ୍ପିକର, ରାମ ନବମୀ, ହନୁମାନ ଚାଳିସା ଭଳି ବିବାଦ ଦେଶକୁ ବୁଡ଼ାଇବା ପାଇଁ ଭାଜପାର ଏହା ଏକ ଷଡଯନ୍ତ୍ର।

ମୁଦ୍ରାସ୍ଫୀତି ଏବଂ ବେକାରୀ ହେଉଛି ଦେଶର ମୁଖ୍ୟ ପ୍ରସଙ୍ଗ। ମୋଦି ସରାକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି କରୁଛନ୍ତି। ବେକାରୀ ଏବଂ ମୁଦ୍ରାସ୍ଫୀତି ଉପରେ ଅଧିକ ଆନ୍ଦୋଳନ ହେବା ଜରୁରୀ। ଦେଶ ଏହା ଉପରେ ଆଲୋଚନା କରିବା ଉଚିତ, କିନ୍ତୁ ମସଜିଦରେ ଲାଉଡ ସ୍ପିକର ଏବଂ ହନୁମାନ ଚାଳିସା ପ୍ରସଙ୍ଗରେ ଅଯଥା ଆନ୍ଦୋଳନ ଚାଲିଛି।

ସାମନାରେ ଏହା ଲେଖାଯାଇଛି ଯେ ଧାର୍ମିକ ଘୃଣା ପ୍ରସଙ୍ଗରେ ଆଫଗାନିସ୍ତାନ ଅପେକ୍ଷା ଭାରତର ସ୍ଥିତି ଅଧିକ ଖରାପ ହୋଇଯାଇଛି। ଯେଉଁ ପରି ଲୋକଙ୍କ ହାତରେ ଆଫଗାନିସ୍ତାନର ଶାସନ ଡୋରି ରହିଛି ଭବିଷ୍ୟତରେ ଆମ ଦେଶରେ ସମାନ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଏପରିକି ଦାରିଦ୍ର୍ୟ ଏବଂ ଭୋକରେ ଭାରତ ପାକିସ୍ତାନ ଏବଂ ବାଂଲାଦେଶକୁ ପଛରେ ପକାଇ ଦେଇଛି।

ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଦଙ୍ଗାର ପ୍ରୟୋଗ କରାଯାଉଛି। ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକଙ୍କୁ ଟ୍ରୋଲର ତିଆରି କରିବା କାମ ଦିଆଯାଇଛି। ଏହା ବର୍ତ୍ତମାନ ସେମାନଙ୍କର ରୋଜଗାର। ଦେଶରେ ଧାର୍ମିକ ମତଭେଦ ଏବଂ ଘୃଣା କେଉଁ ସ୍ତରରେ ପହଞ୍ଚିଛି? ଏବଂ ଆମର ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଚୁପ ଅଛନ୍ତି। ଦେଶରେ କେବେ ଶାନ୍ତି ଫେରିବ ତାହା ଅଜଣା। ଖୋଦ ସରକାର ଏଭଳି କାର୍ଯ୍ୟରେ ଲିପ୍ତ ଥିବା ସାମନାରେ ଉଲ୍ଲେଖ କରାଯାଇଛି।

 

Share