ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଆଇନଶୃଙ୍ଖଳାକୁ ସୁବ୍ୟବସ୍ଥିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ରେ ଏନେଇ ଅଧିସୂଚନା ଜାରି କରାଯାଇଛି।
ଘୋଷଣା ଅନୁସାରେ, ସେପ୍ଟେମ୍ବର ୧୧ରେ ଦିଲ୍ଲୀ ସରକାର ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହ ସ୍ୱୟଂଶାସିତ ସଂସ୍ଥା ଏବଂ ସରକାରୀ ଉଦ୍ୟୋଗ (PSU) ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ଦିନ ସରକାରୀ କର୍ମଚାରୀଙ୍କ ଯାତାୟତ କମିବା ସହ ରାସ୍ତାରେ ଭିଡ଼ ମଧ୍ୟ ହ୍ରାସ ପାଇବ। ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ BRICS ସମ୍ମିଳନୀ ସମୟରେ ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ସହଜ ହେବ।
ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା BRICS ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟଙ୍କ ସହ ବହୁ ବିଦେଶୀ ପ୍ରତିନିଧି ଯୋଗଦେବେ। ଏଭଳି ଏକ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ ବିଦେଶୀ ଅତିଥିଙ୍କ ସୁରକ୍ଷା ସହ ତାଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ରୁଟ୍ ବ୍ୟବସ୍ଥା କରାଯିବ। ଏହି କାରଣରୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଡାଇଭର୍ସନ୍ ଲାଗୁ ହେବାର ସମ୍ଭାବନା ରହିଛି । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପୋଲିସ ଓ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ମୁତୟନ ହେବେ ।
BRICS ସମିଟ୍ ସମୟରେ ରାଜଧାନୀରେ ଟ୍ରାଫିକ୍ ଜାମ୍ ଏବଂ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା କମାଇବା ମଧ୍ୟ ଛୁଟି ଘୋଷଣାର ଏକ ପ୍ରମୁଖ କାରଣ।