ବିପଦସଙ୍କୁଳ ଅବସ୍ଥାରେ ସରକାରୀ ହାଇସ୍କୁଲ

ହେମଗିର,୧୭।୯(ଡି.ଏନ୍‌.ଏ.): ରାଜ୍ୟ ସରକାର ସରକାରୀ ସ୍କୁଲଗୁଡିକର ଉନ୍ନତିକରଣ ସହ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରି ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରୁଛନ୍ତି। ସୁନ୍ଦରକୋଠା ନିର୍ମାଣ କରି ଆଧୁନିକ ଉପକରଣ ଦେଇ ପ୍ରଚାର କରୁଥିବାବେଳେ କେବଳ ସରକାରୀ ଟଙ୍କାର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିିଛି ସୁନ୍ଦରଗଡ ଜିଲା ହେମଗିର ବ୍ଲକ କୁଚେଡେଗା ହାଇସ୍କୁଲଠାରେ। ହାଇସ୍କୁଲ ନବୀକରଣ ନାଁରେ ଏଠାରେ ସରକାରଙ୍କ ତରଫରୁ ଆସୁଥିବା ଟଙ୍କାର ଆତ୍ମସାତ କରି ନିମ୍ନମାନର କାମ କରି ଥିବା ଜଣାପଡ଼ିଛି। ଏହି ସ୍କୁଲର କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ ଅନେକ ସ୍ଥାନରେ ଛାତ ଫାଟି ପାଣି ଗଳୁଥିବାର ନଜିରକୁ ଆସିଛି। ଅନେକ ସ୍ଥାନରେ ଛାତରୁ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ ଖସିପଡୁଥିବାବେଳେ ଅନେକ ସ୍ଥାନରେ ଲାଗିଥିବା ଟାଇଲ୍ସଗୁଡିକ ବାହାରି ଗଲାଣି। ସ୍କୁଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦ ସୃଷ୍ଟି କରୁଛି। ଏନେଇ ସ୍କୁଲ କମିଟି ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ସ୍କୁଲ କମିଟିର ସଭାପତି କହିଛନ୍ତି। ଅପର ପକ୍ଷରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏହି ସ୍କୁଲକୁ ପରିଦର୍ଶନ କରି ନିମ୍ନମାନର କାର୍ଯ୍ୟକୁ ଘୋର ନିନ୍ଦା କରିବା ସହିତ ଏହାର ତଦନ୍ତ କରିବା ପାଇଁ ଜିଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଏହି କାମର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ହେମଗିର ବିଡିଓ ଡ. ଜଗଦିସ ମହାନନ୍ଦଙ୍କୁ ପଚାରିବାରୁ ବ୍ଲକ ତରଫରୁ ପୁରୁଣା କୋଠାକୁ ନବୀକରଣ କରାଯାଇଛି ଯଦି କିଛି ଅସୁବିଧା ଥିବ ତାହାକୁ ନିର୍ମାଣ କରାଯିବ ବୋଲି କହିଛନ୍ତି।