ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ଭାକ୍ସିନ୍‌ ଅଭାବରୁ ଧିମା ପଡ଼ିଯାଇଛି। ଦେଶରେ ଭାକ୍ସିନ୍‌ ଅଭାବ ଜାରି ରହିଥିବାବେଳେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଦୋଷ ଲଦାଯାଇଛି। ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି ଯେ, ସରକାର ଷ୍ଟକ୍‌ ସମ୍ପର୍କରେ ନ ଜାଣି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ ଆରମ୍ଭ କରି ଦେଇଥିଲେ। ସରକାର ୩୦ କୋଟି ଲୋକଙ୍କୁ ଟିକାଦାନ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ୬୦ କୋଟି ଡୋଜ୍‌ର ଆବଶ୍ୟକତା ରହିଥିଲା। ମାତ୍ର ସରକାର ତରବରିଆ ଭାବେ ୪୫ ବର୍ଷ ବୟସ ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ ଘୋଷଣା କରିଥିଲେ। ଏହାଯୋଗୁ ଏବେ ଦେଶରେ ଭାକ୍ସିନ୍‌ ଅଭାବ ଦେଖାଦେଇଛି। ଭାକ୍ସିନ୍‌ ନିର୍ମାତା ଲକ୍ଷ୍ୟ ପୂରଣ କରିବା ପୂର୍ବରୁ ସରକାର ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରିଥିବା ସେ କହିଛନ୍ତି। ଟିକାକରଣରେ କରୋନାର ନୂଆ ଭାରିଆଣ୍ଟ୍‌ ସମସ୍ୟା ସୃଷ୍ଟି କରିବାର ଆଶଙ୍କ ଥିବା ସେ କହିଛନ୍ତି। ସେହିପରି ଉପଲବ୍ଧ ଟିକା ମଧ୍ୟ କେଉଁଟି କେତେ ପ୍ରଭାବଶାଳୀ ସେ ନେଇ ମତାମତ ଦିଆଯିବା ପ୍ରମାଣ ଆଧାରରେ କରାଯିବା ଆବଶ୍ୟକ। ତେବେ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେଶନ ଏବଂ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଅନୁସାରେ ଉପଲବ୍ଧ ଟିକାର ଡୋଜ୍‌ ନେବା ଜରୁରୀ। ଟିକାନେବା ପରେ ମଧ୍ୟ ସଂକ୍ରମଣ ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।

Share