‘ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ସରକାର ବିଫଳ’

ଭୁବନେଶ୍ୱର,୩୧।୭(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ସବୁକିଛି ବିପର୍ଯ୍ୟସ୍ତ। ରାଜ୍ୟରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ୧୮୦୦ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଶାସନର ୨୨ ବର୍ଷ ପରେ ମଧ୍ୟ ନଗଡ଼ା ଭଳି ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ କରିଛନ୍ତି। ଯେତିକି ବଜେଟ କରାଯାଉଛି, ତାହା ଖର୍ଚ୍ଚ କରାଯାଇ ପାରୁନାହିଁ। ୩୫% ଜଳସେଚନ ଦେବାରେ ସରକାର ବିଫଳ ହୋଇଛନ୍ତି। ଶନିବାର ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଏଭଳି ଅଭିଯୋଗ ଆଣି ସରକାରଙ୍କ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ।
ଆଲୋଚନା ଆରମ୍ଭରେ ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ରାଜ୍ୟରେ ଋଣଭାର ୧ ଲକ୍ଷ କୋଟି ଟଙ୍କା ଟପିଥିବା ବେଳେ ମୁଣ୍ଡପିଛା ଋଣ ୨୨,୦୪୨ ଟଙ୍କାରେ ପହଞ୍ଚିଲାଣି। ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଶିକ୍ଷା ଆଦି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ପୋଲିସ ବିଭାଗରେ ବହୁ ପଦବୀ ଖାଲି ରହିଛି। ବେକାରିଙ୍କୁ ନିଯୁକ୍ତି ମିଳୁନାହିଁ। ଠିକା କର୍ମଚାରୀରେ ରାଜ୍ୟର ବିଭିନ୍ନ ବିଭାଗ ଚାଲିଛି। ଶିକ୍ଷକ, ଡାକ୍ତର ନିଯୁକ୍ତି ନାହିଁ। ବିଜେଡି ସଭ୍ୟ ଅରୁଣ ସାହୁ କହିଲେ, କେନ୍ଦ୍ର ସରକାର ୨୦୨୨-୨୩ ପାଇଁ ୪୦ ଲକ୍ଷ କୋଟିର ବଜେଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଭ୍ୟନ୍ତରୀଣ ଋଣ ୧୩୧ ଲକ୍ଷ କୋଟି ଥିବାବେଳେ ବିଦେଶୀ ଋଣ ୪.୨୯ ଲକ୍ଷ କୋଟି ରହିଛି। କରୋନା ଭୟାବହତା ଯୋଗୁ ବିକାଶଶୀଳ ଦେଶଗୁଡ଼ିକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁରୋପରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏପରି କି ବିଶ୍ୱର ଅନେକ ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ଓଡ଼ିଶା ଭଳି ଛୋଟ ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରାଯାଇଛି। ଓଡ଼ିଶା ଅଧିକ ଋଣ ଶୁଝିପାରିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮.୫% ହେବ ବୋଲି ଆକଳନ କରାଯାଇଛି। ଦେଶରେ ମୁଦ୍ରାସ୍ପୀତି ହାର ୫.୩% ଥିବାବେଳେ ଓଡ଼ିଶାରେ ୨.୭% ରହିଛି। ଭୋକର ଭୂଗୋଳ ଆଜି ବିକାଶର ଭୂଗୋଳରେ ପରିଣତ ହୋଇଛି ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଦିବ୍ୟ ଶଙ୍କର ମିଶ୍ର, ରାକିଶୋର ଦାସ, ପ୍ରଫୁଲ୍ଲ ସାମଲ ପ୍ରମୁଖ ରାଜ୍ୟର ବିକାଶ ଚିତ୍ର ଅବତାରଣା କରିଥିବା ବେଳେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ।