ଦିଗପହଣ୍ଡି,୧୨ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନେ କଠିନ ପରିଶ୍ରମ କରି ସଫଳତାର ଶୀର୍ଷ ସୋପାନରେ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ। ବାଳିକା ଶିକ୍ଷାର ଅଭିବୃଦ୍ଧି ଘଟିଛି। ପ୍ରତିଟି କ୍ଷେତ୍ରରେ ବାଳିକା ମାନେ ବାଳକ ମାନଙ୍କଠାରୁ ଆଗରେ ରହି ଆସୁଛନ୍ତି। ତେଣୁ ଛାତ୍ରୀ ମାନେ ନିଜକୁ ନ୍ୟୁନ ମନେ ନକରି ଭଲ ପାଠ ପଢିବା ଉଚିତ ବୋଲି ସେ କହିଥିଲେ। ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ.ଶଙ୍କର ନାରାୟଣ ବେଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡ଼େଇ, ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଶ୍ମିତା ସାହୁ, ସିଆରସିସି ଅନିଲ କୁମାର ଦାସ, କାଉନସିଲର ସୁଶାନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।

