ପୂର୍ତ୍ତ ବିଭାଗରେ ବି ଠିକାସଂସ୍ଥା

ଯାଜପୁର,୧୯ା୬: କେବଳ ଶିଳ୍ପାଞ୍ଚଳରେ ନୁହେଁ, ଏବେ ସରକାରୀ ପୂର୍ତ୍ତ ବିଭାଗରେ ମଧ୍ୟ ଠିକାସଂସ୍ଥା ଜରିଆରେ ନିଯୁକ୍ତି ମିଳୁଛି। ଅର୍ଥାତ୍‌ ଏଠାରେ ବି ଜିଲା କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଅଣଦେଖା କରାଯାଉଛି। ଠିକାସଂସ୍ଥା ରାଣ୍ଡଷ୍ଟାଡ୍‌ ଇଣ୍ଡିଆ ପ୍ରାଇଭେଟ ଲିଃ ଦ୍ୱାରା ମନୋନୀତ ୩୨ ଜଣ ଆବେଦନକାରୀଙ୍କୁ ନେଇ ୯ା୬ା୨୦୨୩ରେ ଇଣ୍ଟରଭ୍ୟୁ ହୋଇଥିଲା। ଏହାପରେ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗର ଡିପିଆଇ ଆଣ୍ଡ୍‌ ରୋଡ୍‌ ଚିଫ୍‌ ଇଞ୍ଜିନିୟର କାର୍ଯ୍ୟାଳୟ ପକ୍ଷରୁ ଏକ ଚୟନ କମିଟି ମାଧ୍ୟମରେ ଇଣ୍ଟରଭ୍ୟୁ କରାଯାଇ ଯନ୍ତ୍ରୀ ପରାମର୍ଶଦାତା ପଦବୀ ପାଇଁ ୧୮ ଜଣଙ୍କୁ ଚୂଡାନ୍ତ ଭାବେ ଚୟନ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରାଯାଇଥିବା ଚର୍ଚ୍ଚା ହେଉଛି।
ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ କମ୍ପଲସରି ନୋଟିଫିକେସନ ଅଫ୍‌ ଭାକେନ୍ସି ଆକ୍ଟ ଅନୁଯାୟୀ ପ୍ରକ୍ରିୟା ହେବା କଥା। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀ ନିଜର ସ୍ବାର୍ଥସାଧନ ପାଇଁ କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଚୟନ କରାଯାଉ ନାହିଁ। ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ଏପ୍ରିଲ ପର୍ଯ୍ୟନ୍ତ ସମୁଦାୟ ୧୮,୫୫୩ ଜଣ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିରେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଆଦି ବୈଷୟିକ ଡିଗ୍ରୀଧାରୀ ଛାତ୍ରୀଛାତ୍ରମାନେ ମଧ୍ୟ ରହିଛନ୍ତି। ହେଲେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଥିରୁ ଜଣଙ୍କୁ ବି ନିଯୁକ୍ତି ମିଳିନାହିଁ। ଏପରିକି ସରକାରୀ ସଂସ୍ଥା ମଧ୍ୟ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଛାତ୍ରୀଛାତ୍ରଙ୍କୁ ଅଣଦେଖା କରି ଚାଲିଛନ୍ତି। ଏହି ସରକାରୀ ସଂସ୍ଥା ଏବେ ଥାଇ ନ ଥିଲା ଭଳି ମନେ ହେଉଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) କାର୍ଯ୍ୟ ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ରେ ସିଭିଲ, ଇଲେକ୍ଟ୍ରିକାଲ ଓ ମେକାନିକାଲ ଡିଗ୍ରୀ/ଡିପ୍ଲୋମାଧାରୀମାନଙ୍କଠାରୁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଏଥିରେ ସିଭିଲ ଇଞ୍ଜିନିୟର ଡିଗ୍ରୀଧାରୀ ୧୬୪, ସିଭିଲ ଡିପ୍ଲୋମାଧାରୀ ୭୮, ଇଲେକ୍ଟ୍ରିକାଲ ଡିଗ୍ରୀଧାରୀ ୨୧, ଇଲେକ୍ଟ୍ରିକାଲ ଡିପ୍ଲୋମାଧାରୀ ୧୫, ମେକାନିକାଲ ଡିଗ୍ରୀଧାରୀ ୧୩ ଓ ଡିପ୍ଲୋମାଧାରୀ ୬ ଜଣ ଆବେଦନ କରିଥିଲେ। ଏଥିରେ ମଧ୍ୟ ଠିକାସଂସ୍ଥା ରାଣ୍ଡ୍‌ଷ୍ଟାଡ ଇଣ୍ଡିଆ ଯୁବତୀଯୁବକଙ୍କଠାରୁ ଆବେଦନପତ୍ର ଗ୍ରହଣ କରିଥିଲା। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃର ଚିଫ୍‌ ଜେନେରାଲ ମ୍ୟାନେଜର ଅତୁଲ୍ୟ ଚମ୍ପତିରାୟ ୧୫ା୧୦ା୨୦୨୨ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ମନୋନୟନ ପ୍ରକ୍ରିୟା କରିବାକୁ ଜଳସମ୍ପଦ ବିଭାଗର ସ୍ପେଶାଲ ସେକ୍ରେଟାରୀ ପ୍ରଭାତ କୁମାର ଭୋଇଙ୍କୁ ପତ୍ର ଲେଖିଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ଭାବେ ଅନିୟମିତତା ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏଭଳି ଭାବେ ସରକାରୀ କର୍ମ ନିୟୋଜନ ସଂସ୍ଥାକୁ ବାଦ୍‌ ଦେଇ ବେସରକାରୀ ଠିକାସଂସ୍ଥାକୁ ମାଲାମାଲ କରିବା ଉଦ୍ଦେଶ୍ୟ ରଖି ନିଯୁକ୍ତି ଚାଲିଥିବା ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା