ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ କରିପାରିବେ। ସେହିପରି ଲୋକଙ୍କ କଲ୍ୟାଣ ପାଇଁ କେତେକ ସର୍ତ୍ତ ମଧ୍ୟ ଲାଗୁ କରିପାରିବେ ତେବେ ଟି ନେବାକୁ ଚାହୁଁ ନଥିବା ଲୋକଙ୍କୁ ବାଧ୍ୟ କରି ପାରିବେ ନାହିଁ।

ଏହା ସହିତ ଶୀର୍ଷକୋର୍ଟ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସର୍ବସାଧାରଣ ସ୍ଥାନରେ ଟିକାକରଣ କରି ନଥିବା ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେତେକ ରାଜ୍ୟ ସରକାର ଏବଂ ସଂଗଠନ ଦ୍ୱାରା ଜାରି କରାଯାଇଥିବା ସର୍ତ୍ତ ଆନୁପାତିକ ନୁହେଁ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଚାରପତି ନାଗେଶ୍ୱର ରାଓ ଏବଂ ବିଆର ଗଓ୍ବଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ବ୍ୟକ୍ତିର ସ୍ବାଧୀନତା ଅଧିକାର ରହିଛି। ଏହା ତାଙ୍କର ବ୍ୟକ୍ତିଗତ ସ୍ବାଧୀନତାକୁ ସୁନିଶ୍ଚିତ କରେ। ତଥାପି, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଜାରି ରହିଥିବା ଟିକାକରଣ ନୀତିକୁ ଅଯୌକ୍ତିକ ଏବଂ ଏକପାଖିଆ ନିଷ୍ପତ୍ତି ବୋଲି କୁହାଯାଇପାରିବ ନାହିଁ।

Share