ଛତ୍ରପୁର, ୨୭।୧(ଦିଲ୍ଲୀପ ସାମଲ): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଆହ୍ବାନରେ ମଙ୍ଗଳବାର ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ୫-ଡେ ବ୍ୟାଙ୍କିଙ୍ଗ ଦାବିକୁ ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ କାମ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ରାଷ୍ଟ୍ରାୟତ ବ୍ୟାଙ୍କ ତଥା ଷ୍ଟେଟବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଭଳି ସରକାରୀ ବ୍ୟାଙ୍କ ଗୁଡିକର କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ପୂର୍ବରୁ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ଏବଂ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶଏନ ମଧ୍ୟରେ ବୁଝାମଣା ହୋଇଥିଲା । ୫ଦିନ ବ୍ୟାଙ୍କ ଖୋଲା ହେବ ଆଉ ପ୍ରତ୍ୟେକ ଶନିବାର ବନ୍ଦ ରହିବ । ଖୋଲା ୫ ଦିନରେ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟ ଠାରୁ ବ୍ୟାଙ୍କରେ ଅତିରିକ୍ତ ୪୦ ମିନିଟ କାମ କରିବା ପାଇଁ କର୍ମଚାରୀମାନେ କହିଛନ୍ତି । ଏହାସହ ଏଟିଏମ, କେସ୍ ଡିପୋଜିଟ ମେଶିନ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ଟ୍ରାଞ୍ଜେକ୍ସନ ୨୪ ଘଣ୍ଟା ଉପଲବ୍ଧ ଅଛି । ଶନିବାର ବ୍ୟାଙ୍କ ବନ୍ଦ ହେଲେ ଜନସାଧାରଣଙ୍କୁ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଭାରତ ସରକାର ଏ ପର୍ଯ୍ୟନ୍ତ ଏହି ବିଷୟକୁ ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି । ଯେତେଥର ବୈଠକ ହୋଇଛି ସବୁ ଶନିବାର ବନ୍ଦ ହେବ ବୋଲି କଥା ଉଠିଲେ ଏହାକୁ ଏଡାଇ ଦିଆଯାଉଛି । ଏଣୁ ଆଜି ବାଧ୍ୟ ହୋଇ ବ୍ୟାଙ୍କ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଧର୍ମଘଟରେ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର ଆଞ୍ଚଳିକ ସମ୍ପାଦକ(ଛତ୍ରପୁର ମୁଖ୍ୟ ଶାଖା) ଜିତେନ୍ଦ୍ର କୁମାର ପଲେଇ, ସାଙ୍ଗଠନିକ ସମ୍ପାଦକ ସରୋଜ ପରିଡା. ଆଞ୍ଚଳିକ ସଂପଦକ ସିମାଞ୍ଚଳ ପାତ୍ର, ଅଭିଷେକ ଯାନୀ, ଆଇ. ନିର୍ମଳା, ଆର. ପ୍ରିୟଙ୍କା ରେଡ୍ଡୀ, ପଦ୍ମ ବେହେରା, କୈଳାଶ ଚନ୍ଦ୍ର ନାୟକ, ଦିନମଣୀ ମୁର୍ମୁ, ରଞ୍ଜିତ ନାୟକ, ନିବେଦିତା ସାମଲ, ସୋମେଶ ରେଡ୍ଡୀ, ମନୋଜ ନାହାକ, ପ୍ରଦୀପ୍ତ ରାମ, ସୋମନାଥ ବେହେରା, ଉଦୟନାଥ ସାହୁ, ବି. ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ସାମିଲ ହୋଇଛନ୍ତି।

