ଥୁଆମୂଳ ରାମପୁର,୧୪ା୫(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କାର ଯୋଜନା ହେଉଛି ସତ, ହେଲେ ଯୋଜନା ନାଁରେ ଚାଲିଛି ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ପ୍ରକୃତ ହିତାଧିକାରୀ ଦୟନୀୟ ଭାବେ ଜୀବନଯାପନ କରୁଥିବା ବେଳେ ରାଜନେତା କିମ୍ବା ପ୍ରଶାସନ ପାଖରେ ଖବର ମଧ୍ୟ ପହଞ୍ଚି ପାରୁ ନାହିଁ । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣୀ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ଗଉଡ଼ ପଡ଼ାରେ ।
ସୂଚନା ଅନୁଯାୟୀ, ଗଉଡ଼ ପଡ଼ାର ମହେଶ୍ୱର ରାଉତଙ୍କ ପରିବାର ଗୋଟିଏ ଘରେ ୭ ଜଣ ସଦସ୍ୟ ବହୁ କଷ୍ଟରେ ବସବାସ କରୁଛନ୍ତି । ପରିବାର କହିଲେ ମହେଶ୍ୱର ରାଉତ, ସ୍ତ୍ରୀ ବେଲମତୀ ରାଉତ, ବଡ଼ ପୁଅ ରଞ୍ଜନ ରାଉତ, ବହୂ ଗମିତ୍ରା ରାଉତ, ଛୋଟ ପୁଅ ଚୈତନ୍ୟ ରାଉତ, ନାତି ହିମାଚଳ ରାଉତ ଓ ନାତୁଣୀ ଧରିତ୍ରୀ ରାଉତ । ଗତ ବର୍ଷ ଦଶହରା ସମୟରେ ହୋଇଥିବା ପ୍ରବଳ ବର୍ଷାରେ ଏହି ପରିବାରର ମାଟି ଘରଟି ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେହି ସମୟରେ ତହସିଲ ବିଭାଗରୁ ଆର.ଆଇ (RI) ଆସି ଘର ଭାଙ୍ଗିଥିବା ଦେଖିଲେ ଏବଂ ଜରି ଖଣ୍ଡେ ଦିଆଯିବ ବୋଲି କହି କାର୍ଯ୍ୟାଳୟକୁ ଡାକିଲେ । ହେଲେ ହିତାଧିକାରୀ ଅନେକ ଦିନ ଦୌଡ଼ିଲେ ମଧ୍ୟ ଆର.ଆଇ ବାବୁଙ୍କ ଦେଖା ମିଳିଲା ନାହିଁ କି କୌଣସି ସରକାରୀ ସହାୟତା ବା ଜରି ଖଣ୍ଡେ ମଧ୍ୟ ମିଳିଲା ନାହିଁ ।
ସରକାରୀ ଯୋଜନା କହିଲେ ଏହି ପରିବାରକୁ କେବଳ ମୁଠାଏ ଚାଉଳ ହିଁ ମିଳୁଛି । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହେବାରୁ ବଡ଼ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସେଠାରୁ ସେ ପଠାଉଥିବା ପଇସାରେ ଏବେ ଏହି ଅସହାୟ ପରିବାର ଏକ ଛୋଟ କୁଡ଼ିଆ ତିଆରି କରୁଛନ୍ତି । ସରପଞ୍ଚ, ପି.ଇ.ଓ (PEO) ଏବଂ ୱାର୍ଡ ସଭ୍ୟ ସମସ୍ତେ ସ୍ଥିତି ଦେଖି ଯାଇଥିଲେ ମଧ୍ୟ କେହି ହେଲେ ଏହି ପରିବାର ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । ଗରିବ ହିତାଧିକାରୀ ଘର ଖଣ୍ଡିଏ ପାଇବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିବା ବେଳେ ନେତାଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଏ ସମ୍ପର୍କରେ BPC RH ରାଜେନ୍ଦ୍ର ନାରାୟଣ ଦେବଙ୍କୁ ପଚାରିବାରୁ ସେ କହିଛନ୍ତି, “ଏହା ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦାୟିତ୍ୱ ଥିଲା। ଆମେ ମିଟିଂ ସମୟରେ ତଥ୍ୟ ମାଗୁଥିଲେ ମଧ୍ୟ କିଛି ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ଲୋକ ବର୍ଷ ବର୍ଷ ଧରି ସୁବିଧା ପାଇପାରୁ ନାହାନ୍ତି” । ଠିକ୍ ଅଛି ଆମେ ଏହି ବିଷୟରେ ତଦନ୍ତ କରିବୁ ଏବଂ ଯଦି ପରିବାର ଘର ପାଇବା ଯୋଗ୍ୟ, ତେବେ ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ସେମାନଙ୍କୁ ଗୃହ ଯୋଗାଇ ଦେବାକୁ ବିଡ଼ିଓ (BDO) ଙ୍କୁ ଅବଗତ କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ କେବେ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବ, ତାହା ଦେଖିବାକୁ ବାକି ରହିଲା । ବ୍ଲକ ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।