E100 ଇନ୍ଧନକୁ ସରକାରଙ୍କ ମଞ୍ଜୁରୀ, ଏହି ଗାଡ଼ିରେ ହେବ ବ୍ୟବହାର

ନୂଆଦିଲ୍ଲୀ,୨୬।୧୦: ଭାରତରେ ଇଥାନଲ୍‌ ମିଶ୍ରିତ ଇନ୍ଧନର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ ଘୋଷଣା କରାଯାଇଛି । ଏହାଦ୍ୱାରା ୧୦୦ ପ୍ରତିଶତ ଇଥାନଲ୍‌ରେ ଚାଲିପାରୁଥିବା E100 ଫ୍ଲେକ୍ସ-ଫ୍ୟୁଏଲ୍‌ ଗାଡ଼ିର ବ୍ୟବହାର ପାଇଁ ବାଟ ଖୋଲିଛି ।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ୨୦ ପ୍ରତିଶତରୁ ଅଧିକ ଇଥାନଲ୍‌ ଥିବା ଇନ୍ଧନ କେବଳ ସେହି ଗାଡ଼ିରେ ବ୍ୟବହାର କରାଯାଇପାରିବ, ଯାହାକୁ ଅଧିକ ଇଥାନଲ୍‌ ମିଶ୍ରିତ ଇନ୍ଧନରେ ଚାଲିବା ପାଇଁ ଡିଜାଇନ୍‌ କରାଯାଇଥିବ ଏବଂ ଆବଶ୍ୟକ ପ୍ରମାଣପତ୍ର ମିଳିଥିବ। ଅର୍ଥାତ୍‌, ସାଧାରଣ ପେଟ୍ରୋଲ୍‌ କିମ୍ବା E20 ପେଟ୍ରୋଲ୍‌ରେ ଚାଲୁଥିବା ଗାଡ଼ିରେ E85 ବା E100 ଇନ୍ଧନ ବ୍ୟବହାର କରିହେବ ନାହିଁ। ନୂଆ ସଂଶୋଧନରେ ଯାନବାହନ ବର୍ଗୀକରଣ, ଇନ୍ଧନର ମାନଦଣ୍ଡ ଏବଂ ନିର୍ଗମନ ପରୀକ୍ଷା ସମ୍ପର୍କିତ କେତେକ ବୈଷୟିକ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାସହ ପ୍ରଭାବିତ ହାଲୁକା ପେଟ୍ରୋଲ୍‌ ଓ ଡିଜେଲ୍‌ ଗାଡ଼ିଗୁଡ଼ିକର ଓଜନ ସୀମା ୩,୦୦୦ କିଲୋଗ୍ରାମରୁ ବଢ଼ାଇ ୩,୫୦୦ କିଲୋଗ୍ରାମ କରାଯାଇଛି।

ବିଦେଶରୁ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ସରକାର ପେଟ୍ରୋଲ୍‌ରେ ଇଥାନଲ୍‌ ମିଶ୍ରଣକୁ ପ୍ରୋତ୍ସାହନ ଦେଉଛନ୍ତି । ଦେଶରେ ପୂର୍ବରୁ E20 ପେଟ୍ରୋଲ୍‌ ପ୍ରଚଳନ ହୋଇଛି, ଯେଉଁଥିରେ ୨୦ ପ୍ରତିଶତ ଇଥାନଲ୍‌ ଓ ୮୦ ପ୍ରତିଶତ ପେଟ୍ରୋଲ୍‌ ରହିଥାଏ। ରିପୋର୍ଟ ଅନୁସାରେ, ମାରୁତି ସୁଜୁକି ଇଣ୍ଡିଆ ଚଳିତ ବର୍ଷ ଜୁନ୍‌ରେ ଭାରତର ପ୍ରଥମ ଫ୍ଲେକ୍ସ-ଫ୍ୟୁଏଲ୍‌ ଯାତ୍ରୀବାହୀ କାର୍‌ ଭାବେ ୱାଗନ୍‌ଆର୍‌କୁ ଉପସ୍ଥାପନ କରିଥିଲା। ଏହି ଗାଡ଼ି E20ରୁ E100 ପର୍ଯ୍ୟନ୍ତ ଇନ୍ଧନରେ ଚାଲିବାକୁ ସକ୍ଷମ ବୋଲି କୁହାଯାଇଛି।

ମାରୁତି ସୁଜୁକି ବ୍ୟତୀତ ଟୋୟୋଟା, ଟାଟା ମୋଟର୍ସ ଓ ହ୍ୟୁଣ୍ଡାଇ ସମେତ ଅନ୍ୟ କେତେକ ଅଟୋମୋବାଇଲ୍‌ କମ୍ପାନୀ ମଧ୍ୟ ଭାରତୀୟ ବଜାର ପାଇଁ ଫ୍ଲେକ୍ସ-ଫ୍ୟୁଏଲ୍‌ ଗାଡ଼ି ବିକାଶ କରୁଛନ୍ତି। ଅଧିକ ଇଥାନଲ୍‌ ମିଶ୍ରିତ ଏବଂ ବିକଳ୍ପ ଇନ୍ଧନର ବ୍ୟବହାର ବଢ଼ାଇବା ପାଇଁ ମନ୍ତ୍ରଣାଳୟ ପୂର୍ବରୁ ଯାନବାହନ ନିର୍ଗମନ ନିୟମରେ ମଧ୍ୟ ସଂଶୋଧନ ପ୍ରସ୍ତାବ ରଖିଥିଲା।

 

Dharitri – Odisha’s No.1 Odia Daily

Share