Categories: ଖେଳ

ଫିଫାର ସମସ୍ତ ଦାବିକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ, ୨୨ା୮ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଉପରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂଗଠନ ‘ଫିଫା’ର ବାସନ୍ଦ ଦଣ୍ଡକୁ ହଟାଇବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରବିବାର ସୁପ୍ରିମ୍‌କୋର୍ଟଙ୍କୁ ଏକ ଦରଖାସ୍ତ କରିଛନ୍ତି। ଏଥିରେ ବର୍ତ୍ତମାନ ଏଆଇଏଫ୍‌ଏଫ୍‌ ସାମୟିକ ପରିଚାଳନା ଦାୟିତ୍ୱରେ ରହିଥିବା କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) କର୍ତ୍ତୃତ୍ୱର ଅନ୍ତ ଘଟାଇବା ଲାଗି ନିବେଦନ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣିର ଦିନକ ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ଉଦ୍ୟମ କରାଯାଇଛି।

ତୃତୀୟ ପକ୍ଷ ହସ୍ତକ୍ଷେପ କାରଣକୁ ନେଇ ଫିଫା ଅଗଷ୍ଟ ୧୫ରେ ଏଆଇଏଫ୍‌ଏଫ୍‌ ଉପରେ ବାସନ୍ଦ ଦଣ୍ଡ ଲାଗୁ କରିଛି। ଫଳତଃ ଦେଶ ଅକ୍ଟୋବରରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନରୁ ବଞ୍ଚତ୍ତ ହେବ। ଟୁର୍ନାମେଣ୍ଟ ଆୟୋଜନ ଏକ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସରକାରଙ୍କ ତରଫରୁ ଏଭଳି ପ୍ରୟାସ କରାଯାଇଥିବା କୁହାଯାଉଛି। ସରକାର ତାଙ୍କ ଆବେଦନପତ୍ରରେ ଫିଫାର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ତନ୍ମଧ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ କାର୍ଯ୍ୟକାଳର ପରିସମାପ୍ତି ଘଟାଇବା ଏବଂ ଇଲେକ୍ଟୋରାଲ କଲେଜରେ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ଅନୁମତି ଦିଆ ନ ଯିବା ସାମିଲ।

ଏଥିସହିତ ସରକାର ପ୍ରଫୁଲ୍ଲ ପଟେଲଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଏଆଇଏଫ୍‌ଏଫ୍‌ରୁ ବହିଷ୍କାର କରାଯିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ଆବେଦନପତ୍ରରେ ଆହୁରି ମଧ୍ୟ ଅଗଷ୍ଟ ୨୨ଠାରୁ ଏଆଇଏଫ୍‌ଏଫ୍‌ ଉପରେ ସିଓଏ ଓ ପୂର୍ବ ନିର୍ବାଚିତ ପରିଷଦର କୌଣସି ପ୍ରଶାସନିକ ଭୂମିକା ରହିବ ନାହିଁ। ବରଂ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ ପରିଚାଳନା ଦାୟିତ୍ୱ କାର୍ଯ୍ୟକାରୀ ସମ୍ପାଦକଙ୍କ ନେତୃତ୍ୱାଧୀନ ପ୍ରଶାସନ ହାତରେ ରହିବା ଆବଶ୍ୟକ। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚାହିଁଛି କ୍ରୀଡ଼ା ମନ୍ତ୍ରଣାଳୟ।

 

Share