୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା

କୋକସରା,୧୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ କିଛି ମାସର ପରେ ଯୋଡିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଜନସାଧାରଣ ନବରଙ୍ଗପୁର ଜିଲା ସହିତ ସିଧାସଳଖ ଯୋଡ଼ିବେ। ଗୁରୁବାର ୨ ଜିଲାର ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ପରିଦର୍ଶନ କରିଛନ୍ତି। ଧର୍ମଗଡ଼ ବିଧାୟକ ମୋଷଧି ବାଗ, ଆମପାଣି ଜୋନ ଜିଲା ପରିଷଦ ସଭ୍ୟ ହେମନ୍ତ ମାଝି, କୋକସରା ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର, ନବରଙ୍ଗପୁର ଉମରକୋଟ ଡିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ବେହେରା ସେକ୍ସନ ଫରେଷ୍ଟର ଫାଲ୍ଗୁନି ମେହେରଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ। ଗୋତୋମୁଣ୍ଡାଠାରୁ ଡାହିମାଲ ରାସ୍ତା ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ଜିଲା ମଧ୍ୟରେ ସାମାଜିକ ଅର୍ଥନୈତିକ, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ବିକାଶର ନୂତନ ବାଟ ଫିଟିବ। ଜଙ୍ଗଲ ବିଭାଗ ଅନୁମୋଦନ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ନେଇ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାସ୍ତା ନିର୍ମାଣ ନେଇ ଦୁଇ ଜିଲାର ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।