ଖଣ୍ଡପଡ଼ା,୧୭ା୧୧(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡା, ଖଳିସାହି, କୋସକା, ଜଗନ୍ନାଥପ୍ରସାଦ, ବେଣାଗାଡିଆ, ସିଧାମୂଳା, ଶାଳଝରିଆ ଆଦି ଅଞ୍ଚଳରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ସେହିପରି କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ଏହି ଉତ୍ସବ ଧୁମଧାମ ସହକାରେ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ରାଧାମୋହନ ଜୀଉ ମଠରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।
ଅପରାହ୍ନ ପ୍ରାୟ ସାଢେ ୪ଟାରେ ଶ୍ରୀଜୀଉଙ୍କ ବିଗ୍ରହକୁ ଏକ ଶୋଭାଯାତ୍ରାରେ ନିକଟସ୍ଥ ମାଘମେଳା ପଢିଆକୁ ବିଜେ କରାଯାଇଥିଲା। ସେଠାରେ ଗ୍ରାମର ସମସ୍ତ ଗୋରୁଙ୍କୁ ଏକାଠି କରାଯାଇ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ମହିଳାମାନେ ଗୋମାତାଙ୍କୁ ବନ୍ଦାପନା କରି ଘାସ ଓ ଖାଦ୍ୟ ପ୍ରଦାନ କରିଥିଲେ। ପୂଜାର୍ଚ୍ଚନା ପରେ ଶ୍ରୀଜୀଉ ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନୁରୂପ ଭାବେ ବାପୁଜୀନଗରସ୍ଥିତ ରଘୁନାଥ ଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ନିକଟସ୍ଥ ରାମଲୀଳା ସ୍ଥଳୀକୁ ପରିକ୍ରମା ବିଜେ କରାଯାଇ ଗାନ୍ଧୀପାର୍କଠାରେ ସେ ଅଞ୍ଚଳର ଗୋରୁଙ୍କୁ ମହିଳାମାନେ ବନ୍ଦାପନା କରି ଘାସ ଖାଇବାକୁ ଦେଇଥିଲେ। ଏହି ଅବସରରେ ଜୁନି ପିଲାଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।