ଗୋସାଇଁ ଗୁପ୍ତରେ କର୍ଣ୍ଣରେ ଦିଅନ୍ତି ମହାମନ୍ତ୍ର

ମହାକାଳପଡ଼ା,୨୬।୪ (ଡି.ଏନ୍‌.ଏ.) ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ସାଧୁ ସନ୍ନ୍ୟାସୀମାନେ ନିଜର ଛାତ୍ରୀଛାତ୍ରଙ୍କୁ ଗୁପ୍ତରେ କର୍ଣ୍ଣରେ ଗୁରୁ ମହାମନ୍ତ୍ର ଦେଉଥିଲେ। ଆଜିକା ଦିନରେ ଗୁରୁକୁଳ ଆଶ୍ରମ ଲୋପପାଇବାକୁ ବସିଲାଣି। ତଥାପି ଏହି ପ୍ରାଚୀନ ପରମ୍ପରା ଆଧୁନିକ ସଭ୍ୟତାରେ ଆଜି ବି ବଞ୍ଚତ୍ରହିଛି। କୁଳ ଗୁରୁମାନେ ଗାଁକୁ ଗାଁ ବୁଲି ପିଲାମାନଙ୍କୁ କର୍ଣ୍ଣରେ ଗୁପ୍ତ ଭାବେ ଗୋସାଇଁ ମହାମନ୍ତ୍ର ପ୍ରଦାନ କରୁଛନ୍ତି। ଯେଉଁ ପିଲାମାନେ ନାମ ନେବେ ସେମାନଙ୍କୁ ସୁସଜ୍ଜିତ ବେଶ କରାଯିବା ସହ ପଇତା ପିନ୍ଧିଲେ ମହାମନ୍ତ୍ର ପ୍ରଦାନ କରାଯାଇଥାଏ।
ସାଧାରଣତଃ ଗ୍ରାମାଞ୍ଚଳରେ ଏହାକୁ ନାମ ଦିଆ ପର୍ବ ବୋଲି କୁହାଯାଏ। ପରିବାରରେ ସନ୍ତାନମାନଙ୍କର ବୟସ ଯେତେବେଳେ ୯ରୁ ୧୨ବର୍ଷ ହୋଇଯାଏ ସେତେବେଳେ ନାମ ନେବା ପାଇଁ ଉପଯୁକ୍ତ ବୟସ ହୋଇଥାଏ। କାରଣ ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ମହାମନ୍ତ୍ର ନ ନେଲେ ଠାକୁରଙ୍କର ପୂଜାପାଠ କରିବା ସହ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇ ନ ଥାଏ। ଅନ୍ତତଃ ପକ୍ଷେ ଯେଉଁମାନେ ନାମମନ୍ତ୍ର ନେଇ ନ ଥାନ୍ତି ସେମାନେ ବିବାହ ବେଦି ଉପରେ ନାମକରଣ ସମ୍ପନ୍ନ ହୋଇଥାଏ ବୋଲି କୁହାଯାଏ। ବିଶେଷକରି ବ୍ରାହ୍ମଣ, ବୈଷ୍ଣବ ସମ୍ପ୍ରଦାୟର ଗୁରୁମାନେ ଏହି ନାମକରଣ କରିଥାନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ କୋଚିଳା ଗ୍ରାମରେ। ସୁଦୂର କେନ୍ଦ୍ରାପଡ଼ା ନିକଟ ବାଲିଗୋଠ ଗାଁର ବ୍ରାହ୍ମଣ ଗୋସାଇଁ ନିତ୍ୟାନନ୍ଦ ଦାଶ(୭୫) ନିଜର ଯଜମାନ ଘରକୁ ଘର ବୁଲି ସେମାନଙ୍କ ପିଲାମାନଙ୍କ ନାମକରଣ କରୁଥିବା ଦେଖିବାକୁ ମିଳୁଛି। ଗୋସାଇଁ ଗାଁ ମୁଣ୍ଡ ଧରୁ ଧରୁ ଦଣ୍ଡବତ କରି ସମ୍ମାନର ସହ ଘରକୁ ପାଛୋଟି ନେଇଥାନ୍ତି। ନାମକରଣ ଶେଷ ହେବା ପରେ ଯିଏ ଯାହା ଶ୍ରଦ୍ଧାର ସହିତ ଗୋସାଇଁଙ୍କୁ ଚାଉଳ, କଦଳୀ, ପନିପରିବା, ଟଙ୍କା, ନୂତନ ବସ୍ତ୍ର ଆଦି ପ୍ରଦାନ କରି ଆଶିଷ ଭିକ୍ଷା କରିଥାନ୍ତି। ଗୋସାଇଁ ଦାଶ କହିଛନ୍ତି, ଯଜୁର୍ବେଦ ଅନୁଯାୟୀ ପିଲାମାନଙ୍କ କର୍ଣ୍ଣରେ ଗୁପ୍ତରେ ମହାମନ୍ତ୍ର ଉଚ୍ଚାରଣ କରି ନାମକରଣ କରାଯାଏ। ଅପରପକ୍ଷରେ ଏହି ଗୋସାଇଁଙ୍କ ପିଢ଼ି ପରେ ପିଢ଼ି ଏହି କୌଳିକ ବୃତ୍ତିକୁ ଆପଣେଇଥାନ୍ତି। ଜିଲାର ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ରାଜନଗର ଓ କେନ୍ଦ୍ରାପଡା, ମାର୍ଶାଘାଇ ଆଦି ଅଞ୍ଚଳର ଶହେରୁ ଅଧିକ ଗ୍ରାମରେ ଯଜମାନ ଘରେ ନାମକରଣ କରିଛନ୍ତି ବୋଲି ସେ କହିଛନ୍ତି।