ଗୋସାଣି ଯାତ୍ରାରେ ଦୁଲୁକିଲା ଶ୍ରୀକ୍ଷେତ୍ର

ପୁରୀ ଅଫିସ, ୮ା୧୦: ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ଗୁରୁବାର ଏକାଦଶୀ ତିଥିରେ ଗୋାସାଣି ଭସାଣି ଓ ଦେବସଭାକୁ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା। ଶୁକ୍ରବାର ଦ୍ୱାଦଶୀ ତିଥିରେ ଅନୁକୂଳ ପାଗ ହେବାରୁ ଗୋସାଣି ଭସାଣି ଓ ଦେବସଭା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ ମଣ୍ଡପରୁ ଗୋସାଣି, ନାଗା ପ୍ରଭୃତି ମୂର୍ତ୍ତିଙ୍କୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଅଣାଯାଇଥିଲା। ଏହି ସମୟରେ ବାଦ୍ୟ ଓ ରୋଶଣିରେ ଶ୍ରୀକ୍ଷେତ୍ର କମ୍ପିଉଠିବା ସହ ସିଂହଦ୍ୱାର ସମ୍ମୁଖ ଲୋକାରଣ୍ୟ ହୋଇପଡ଼ିଥିଲା। ବିଭିନ୍ନ ଆଲୋକମାଳାରେ ସିଂହଦ୍ୱାର ଝଲସି ଉଠିଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ହରଚଣ୍ଡୀ ସାହିର ବାରବାଟୀ ଗୋସାଣି ମଣ୍ଡପ ଛାଡ଼ିଥିଲେ। ପରେ ଅନ୍ୟ ଗୋସାଣି ତଥା ଦୋଳମଣ୍ଡପ ସାହିର ଜହ୍ନିଖାଇ, ବନଦୁର୍ଗା, ଗେଲବାଇ, ଶୂନ୍ୟ ଗୋସାଣି, ବାସେଳିସାହିର ବନଦୁର୍ଗା, ଭୋଗଜାଗା ଗୋସାଣି, ଗୌଡ଼ବାଡ଼ ଜହ୍ନିଖାଇ, ହରଚଣ୍ଡୀ ସାହି ଜହ୍ନିଖାଇ, ହାଡ଼ବାଇ, ଗେଲବାଲ, ପଣାପ୍ରିୟା, ଚକ୍ରକୋଟ, ବେଲବାଇ, ତ୍ରିପୁରା ସୁନ୍ଦରୀ ପ୍ରମୁଖ ସେମାନଙ୍କ ଆସ୍ଥାନ ଛାଡ଼ି ଦେବସଭା ନିମନ୍ତେ ସିଂହଦ୍ୱାର ନିକଟକୁ ଆସି ମେଳଣରେ ସାମିଲ ହୋଇଥିଲେ। ସେହିପରି ଶ୍ରୀକ୍ଷେତ୍ରର ଅନ୍ୟତମ ଆକର୍ଷଣ ହେଉଛି ନାଗା ପରମ୍ପରା। ଏହି ମେଳଣରେ ବାଲିସାହି, ହରଚଣ୍ଡୀ ସାହି, ବଳଗଣ୍ଡି, ନରେନ୍ଦ୍ରକୋଣ, ପଶ୍ଚିମଦ୍ୱାର ପ୍ରଭୃତି ସାହିର ନାଗାମୂର୍ତ୍ତି ମଧ୍ୟ ସାମିଲ ଥିଲେ। ସେଠାରେ ସମସ୍ତ ମେଢ଼ ଏକାଠି ହେବା ପରେ ଦେବସଭା ହୋଇଥିଲା। ଏହାପରେ ଗୋସାଣି ଓ ନାଗାମାନଙ୍କୁ ନିଆଯାଇ ମଙ୍ଗଳାଘାଟ ନିକଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଅନ୍ୟପକ୍ଷରେ ଦେବସଭାର ସବୁଠୁ ଆକର୍ଷଣ ଥିଲା ମାର୍କଣ୍ଡେଶ୍ୱର ସାହିର ସମ୍ପାତ୍ତି ଚଢ଼େଇ ଓ ବୁଢାବୁଢୀ। ଏହା ଦେଖିବାକୁ ପ୍ରବଳ ଗହଳି ହୋଇଥିଲା। ଜନସାଧାରଣଙ୍କୁ ଗୋସାଣି, ନାଗା ଏବଂ ଅନ୍ୟ ମୂର୍ତ୍ତିଗୁଡ଼ିକୁ ଗୋଟିଏ ସ୍ଥାନରେ ଏକକାଳୀନ ଦେଖିବାର ସୁଯୋଗ ଦେବା ପାଇଁ ସିଂହଦ୍ୱାର ସମ୍ମୁଖରେ ଦେବସଭାର ଆୟୋଜନ କରାଯାଇଥାଏ। ଏହି ପରମ୍ପରା ଅତି ପ୍ରାଚୀନ ବୋଲି କୁହାଯାଏ। ଦୁଇବର୍ଷ ପରେ ବିନା କୋଭିଡ୍‌ କଟକଣାରେ ଦେବସଭା ଅନୁଷ୍ଠିତ ହେଉଥିବାରୁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଉପଭୋଗ କରିଥିଲେ। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।