Categories: ଜାତୀୟ

ମଦ ଦୋକାନୀଙ୍କୁ ପିଟି ପିଟି ମାରିଦେଲେ

ଗୋରଖପୁର(ୟୁପି), ୧।୧୦: ଉତ୍ତରପ୍ରଦେଶର ଗୋରଖପୁରରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି। କାନପୁରର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯିବାର ୭୨ ଘଣ୍ଟା ପରେ ଏକ ମଦ ଦୋକାନରେ କାମ କରୁଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମଦ୍ୟପ ଗ୍ରାହକମାନେ ପିଟି ପିଟି ମାରି ଦେଇଛନ୍ତି।

ଗୁରୁବାର ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମୃତ ଯୁବକ ମନୀଷ ପ୍ରଜାପତିଙ୍କ ଘର ମଧ୍ୟପ୍ରଦେଶରେ। ସେ କିଛିମାସ ହେଲା ଗୋରଖପୁର ଅଞ୍ଚଳର ଉକ୍ତ ଲିକର ଶପ୍‌ରେ କାର୍ଯ୍ୟ କରୁଥିଲେ। ଗୁରୁବାର କେତେଜଣ ଲୋକ ସେଠାକୁ ଆସି ମଦ ପାଇଁ ଅର୍ଡର କରିଥିଲେ। ମଦ ଯୋଗାଇବାରେ ବିଳମ୍ବ ହେବାରୁ ମନୀଷଙ୍କ ସହ ସେମାନଙ୍କର ବଚସା ହୋଇଥିଲା, ଯାହା ପରେ ନେଇଥିଲା ସଂଘର୍ଷର ରୂପ। ମଦ୍ୟପ ଗ୍ରାହକମାନେ ମନୀଷ ଓ ରଘୁ ନାମକ ଅନ୍ୟଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମନୀଷଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ରଘୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଗିରଫ କରିଛି। ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ଲାଗି ପୋଲିସ ଅନୁସନ୍ଧାନ ଜାରି ରଖିଛି।

Share