ଗୋପାଳପୁର–ରାୟଗଡ଼ା ରେଳ ଲାଇନ: ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ଚାଲିଛି ଯୋଜନାବଦ୍ଧ …

ଦିଗପହଣ୍ଡି, ୧୨।୫ (ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମର ଗୋପାଳ ସମାଜ କୋଠଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର ଆନୁକୂଳ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

ଆଇନଜୀବୀ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼ ଅଧ୍ୟକ୍ଷତା କରିଥିଲେ। ଦକ୍ଷିଣ ଓଡ଼ିଶା ବିକାଶ ସମିତିର ସଭାପତି ଏବଂ ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ସଭାରେ ଯୋଗଦେଇ କହିଥିଲେ ଯେ, ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର–ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ପାଇଁ ସର୍ଭେ କାମ ସମ୍ପୂର୍ଣ୍ଣ ହୋଇସାରିଛି।

ଏହି ନୂତନ ରେଳ ଲାଇନ୍ ଗୋପାଳପୁରରୁ ଜଗନ୍ନାଥପୁର, ଗୁରୁଣ୍ଠି, ବାଲିପଡ଼ା, ଅନଙ୍ଗପୁର, ଦିଗପହଣ୍ଡି, ଗୁମା, ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ହୋଇ ଗଜପତି ଜିଲାର ଚାନ୍ଦିପୁଟ ଓ ଅନ୍ତର୍ବା ଦେଇ ରାୟଗଡ଼ାକୁ ସଂଯୋଗ କରିବ। କିନ୍ତୁ ଓଡ଼ିଶା ପ୍ରତି ଅସହିଷ୍ଣୁ ଆନ୍ଧ୍ରର କିଛି ମୁଷ୍ଟିମେୟ ରେଳୱେ ଅଧିକାରୀ ଉକ୍ତ ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ସେମାନଙ୍କ ସ୍ୱାର୍ଥସାଧନ ପାଇଁ ଗୋପାଳପୁରରୁ କନ୍ଧମାଳ ଭାୟା ଗଜପତି ଦେଇ ରାୟଗଡ଼ାକୁ ରେଳ ଲାଇନ୍ ସଂଯୋଗ କରିବାକୁ ଯୋଜନାବଦ୍ଧ ଉଦ୍ୟମ ଚାଲାଇଥିବା ସେ ଅଭିଯୋଗ କରିଥିଲେ।

ତେଣୁ ପୂର୍ବରୁ ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ନୂତନ ରେଳ ଲାଇନ୍ ନିର୍ମାଣ କରିବା ପାଇଁ ସେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ପୂର୍ବତଟ ରେଳୱେର ମୁଖ୍ୟ ପ୍ରବନ୍ଧକଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ସହ ଏହି ନୂତନ ରେଳ ଲାଇନ୍ କାମ ତୁରନ୍ତ ଆରମ୍ଭ କରିବାକୁ ଦୃଷ୍ଟିଆକର୍ଷଣ କରିଥିବା କହିଥିଲେ।

ତୃତୀୟ ପାଳି ପାଇଁ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ଆସିବା ପରେ ଗଞ୍ଜାମ ଜିଲାର ଚିକିଟି ନିକଟ ବାହୁଦା ନଦୀ ମୁହାଣରେ ପ୍ରସ୍ତାବିତ ବୃହତ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ବାହୁଦା ବନ୍ଦର ସହ ଗୋପାଳପୁର ବନ୍ଦରକୁ ନୂତନ ରେଳ ଲାଇନ୍ ମାଧ୍ୟମରେ ସଂଯୋଗ କରିବାକୁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ପକ୍ଷରୁ ପୂର୍ବରୁ ଦାବି କରାଯାଇଥିବା ନେଇ ସେ ସଭାରେ ଉଲ୍ଲେଖ କରିଥିଲେ।

ବ୍ରହ୍ମପୁର ରେଳ ଷ୍ଟେସନକୁ ବାଇପାସ୍ କରି ଏହି ରେଳ ଲାଇନ୍ ସିଧାସଳଖ ଚିକିଟି ନିକଟସ୍ଥ ପ୍ରସ୍ତାବିତ ବାହୁଦା ବନ୍ଦରକୁ ସଂଯୋଗ ହୋଇପାରିବ। ନୂତନ ରେଳ ଲାଇନ୍ ବ୍ରହ୍ମପୁର ରିଙ୍ଗ ରୋଡ୍ ଦେଇ ଲାଞ୍ଜିଆ–ଦକ୍ଷିଣପୁରରୁ ହଳଦିଆପଦର ନିକଟରେ ଚେନ୍ନାଇ–ହାୱଡ଼ା ମୁଖ୍ୟ ରେଳ ଲାଇନ୍ ସହ ସଂଯୁକ୍ତ ହୋଇପାରିବ। ଫଳରେ ବ୍ରହ୍ମପୁର ରେଳ ଷ୍ଟେସନର ଭିଡ଼ ହ୍ରାସ ପାଇବା ସହ ବାହୁଦା ବନ୍ଦରକୁ ମାଲ ପରିବହନ ସୁବିଧାଜନକ ହୋଇପାରିବ। ପ୍ରାରମ୍ଭିକ ସର୍ଭେରେ ଏହାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିବା ସେ କହିଥିଲେ।

ଏହି ନୂତନ ରେଳ ଲାଇନ୍ ଦ୍ୱାରା ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଅର୍ଥନୈତିକ ବିକାଶ ସହ ବ୍ୟବସାୟିକ ସଫଳତା ବୃଦ୍ଧି ପାଇବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

ସଭାରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ସରପଞ୍ଚ ମନୋରଞ୍ଜନ ଗୌଡ଼, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ରବିଚନ୍ଦ୍ର ଗୌଡ଼, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ପ୍ରଫୁଲ୍ଲ ମହାନ୍ତି, ବାୟାଧର ଗୌଡ଼, ଆଇନଜୀବୀ ନକୁଳ ପ୍ରଧାନ, ସାମାଜିକ କର୍ମୀ ବୃନ୍ଦାବନ ପଣ୍ଡା, ଶୁଭେନ୍ଦୁ ପାଢ଼ୀ, ପ୍ରକାଶ ସେଠୀ, ସନ୍ତୋଷ ସାହୁ, ମାଗତା ପ୍ରଧାନ, ସନ୍ତୋଷ ଗୌଡ଼, ପ୍ରଦୀପ ବକ୍ସି, ସିମାଞ୍ଚଳ ଗୌଡ଼, ମନୋରଞ୍ଜନ ରଇତ, ବିଜୟ ମଲ୍ଲିକ, ରମେଶ ଗମାଙ୍ଗ ଓ ବିଶ୍ୱନାଥ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share