ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି। ଏହି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଟିଆଇ ପରେଡ୍ରେ ପୀଡ଼ିତା ଚିହ୍ନଟ କରିଛନ୍ତି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚ ଏ ନେଇ ଅଧିକ ତଥ୍ୟ ଦେବାକୁ ମନା କରିଛି। ପୀଡ଼ିତା ଓ ତାଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ପୀଡ଼ିତାଙ୍କ ମନୋବଳ ବଢାଇବା ପାଇଁ ତାଙ୍କର କାଉନସେଲିଂ କରାଯାଉଥିବା ଜଣାପଡିଛି।
ବେଳାଭୂମିରେ ଗତ ୧୫ ତାରିଖରେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିଲା। ଗୋପାଳପୁର ଥାନାରେ ପୀଡ଼ିତାଙ୍କ ଅଭିଯୋଗ ପ୍ରକାରେ ପୋଲିସ ୧୭ ତାରିଖରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪ ନାବାଳକଙ୍କୁ ଜେଜେବିରେ ହାଜର କରିଥିଲା। ୧୮ ତାରିଖରୁ କ୍ରାଇମବ୍ରାଞ୍ଚ ଉକ୍ତ ମାମଲାର ତଦନ୍ତ କରୁଛି। ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏଲ୍ଆର୍ ଆଣ୍ଡ ଏଲ୍ଟିଭି) ଅନ୍ବେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିବା ବେଳେ ତାହା ମଞ୍ଜୁର ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଟିଆଇ ପରେଡ୍ ପାଇଁ ଶୁକ୍ରବାର ଜେଲ ପରିସରରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ପୀଡ଼ିତା ସେଠାରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛନ୍ତି। ଅନ୍ୟପଟେ ଘଟଣା ପରେ ପୋଲିସ ଜବତ କରିଥିବା ବିଭିନ୍ନ ସାମଗ୍ରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଟିମ ସେଗୁଡିକ ସିଏସ୍ଆଇ ପୋଲିସ ଜରିଆରେ ଶୁକ୍ରବାର କୋର୍ଟରେ ଦାଖଲ କରିଛି।


