ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା ୱେବ୍‌ସାଇଟରେ ଶାସକ ଦଳ ତଥା ଟ୍ରେଜେରି ବେଞ୍ଚରେ ୨୬ନଂ. ସିଟ୍‌ ମୋ ପାଇଁ ଉଦ୍ଦିଷ୍ଟ ଅଛି। ଏହା କହିଛନ୍ତି, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ। ଦୀର୍ଘଦିନ ପରେ ସେ ନିଜ ନିର୍ବାଚନମଣ୍ଡଳୀର ସିନ୍ଧିଗାଁକୁ ଗୁରୁବାର ଆସି ନୂତନ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଖବରଦାତାଙ୍କ ସହ ଆଲୋଚନା ପ୍ରସଙ୍ଗରେ ଉପରୋକ୍ତ ସୂଚନା ଦେଇଥିଲେ।
ପ୍ରଦୀପ ଆହୁରି କହିଥିଲେ, ବିଭିନ୍ନ କାରଣରୁ ସେ ନିର୍ବାଚନମଣ୍ଡଳୀକୁ ଆସିପାରି ନ ଥିଲେ। ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ଲାଗୁଛି। ଆଗାମୀ ଦିନରେ ରାଜନୀତି କି ମୋଡ଼ ନେବ ତାହା ଆପଣମାନେ ଜାଣିପାରିବେ। ଗଞ୍ଜାମ ଜିଲା ଓ ଗୋପାଳପୁର ଅଞ୍ଚଳର ବିକାଶ ସମେତ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ। ତାଙ୍କ ଅଭିଯୋଗ ଅନୁସାରେ ବ୍ଲକ, ଏନ୍‌ଏସି ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଉ ନ ଥିବାରୁ ଆସିପାରୁ ନାହାନ୍ତି। ଏଣିକି ରୀତିମତ ଆସିବାକୁ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି। ବିଜେଡି ବା ଦଳର କୌଣସି ନେତାଙ୍କ ବିରୋଧରେ ସେ ଟିପ୍ପଣୀ ନ ଦେଇ ଚତୁରତାର ସହିତ ବୟାନ ଦେଇଛନ୍ତି।
ବିଧାୟକ ପାଣିଗ୍ରାହୀ ଭୁବନେଶ୍ୱରରୁ ଆସି ଜଗନ୍ନାଥପୁର ଛକରେ ପହଞ୍ଚତ୍ଥିଲେ। ସେଠାରୁ ବହୁ ସଂଖ୍ୟକ ଲୋକ ତାଙ୍କୁ ଶୋଭାଯାତ୍ରାରେ ସିନ୍ଧିଗାଁ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ।