ବାଛୁରିକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୋପାଳକ

ଅନୁଗୋଳ,୬ା୨ (ଅମିତ କୁମାର ସାମଲ):୪ ଦିନ ତଳେ ଜନ୍ମ ହୋଇଥିବା ବାଛୁରିର ମଳଦ୍ୱାର ନାହିଁ। ଦିନକୁ ଦିନ ତା’ର ଯନ୍ତ୍ରଣା ବଢ଼ୁଛି। ଗୋଟିଏ ପରେ ଗୋଟିଏ ପ୍ରାଣୀଧନ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରୁ ନିରାଶ ହେବାକୁ ପଡ଼ିଛି। ପ୍ରାଣୀଧନ ଚିକିତ୍ସକମାନେ ସମୂହ ଛୁଟି ସହ ଆନ୍ଦୋଳନରେ ଥିବାରୁ ଚିକିତ୍ସା ମିଳିପାରୁ ନାହିଁ। ତେଣୁ କୁନି ବାଛୁରିଟିର ଚିକିତ୍ସା ବ୍ୟବସ୍ଥା ଜିଲାପାଳ କରନ୍ତୁ। ବାଛୁରିଟିକୁ କୋଳରେ ଧରି ବଅଁରପାଳ ବ୍ଲକ ନୂଆହତା ଗାଁର ତରୁଣ କୁମାର ସାମଲ ସୋମବାର ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଏପରି ଗୁହାରି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ନୂଆହତା ଗାଁର ତରୁଣ କୁମାରଙ୍କ ଉକ୍ତ ବାଛୁରିର ମଳଦ୍ୱାର ନ ଥିଲା। ଫଳରେ ମଳତ୍ୟାଗ କରି ନ ପାରି ବାଛୁରିଟି ବଡ଼ କଷ୍ଟ ପାଉଥିଲା। ଏହା ଦେଖିବା ପରେ ତରୁଣ ଚିକିତ୍ସା ନିମନ୍ତେ ଉଦ୍ୟମ କରିଥିଲେ। ନିକଟସ୍ଥ ବଅଁରପାଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନେଇଯାଇଥିଲେ। ହେଲେ ଆନ୍ଦୋଳନରେ ଥିବା ପ୍ରାଣୀ ଚିକିତ୍ସକମାନେ ବର୍ତ୍ତମାନ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ସେଠାରୁ ନିରାଶ ହେବା ପରେ ତରୁଣ ବାଛୁରକୁ ଧରି ଅନୁଗୋଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର ସେଠାରେ ମଧ୍ୟ ଚିକିତ୍ସା ମିଳିପାରି ନ ଥିଲା। ତେଣୁ ବାଛୁରିକୁ ଧରି ଦୁଃଖ ଜଣାଇବାକୁ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜନଶୁଣାଣି ପାଇଁ ଜିଲାପାଳ ତାଳଚେରରେ ଥିବା କର୍ମଚାରୀମାନେ କହିବା ପରେ ତରୁଣ ହତାଶ ହୋଇ ଫେରିଯାଇଥିଲେ। ଘଟଣା ସମ୍ପର୍କରେ ଜିଲା ପ୍ରାଣୀ
ଚିକିତ୍ସାଳୟ ଉପନିର୍ଦ୍ଦେଶକ ଡାକ୍ତର କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି ପ୍ରାଣୀଧନଙ୍କୁ ଚିକିତ୍ସା ଯୋଗାଯାଇପାରୁ ନ ଥିବାରୁ ଦୁଃଖ ଲାଗୁଛି। କିନ୍ତୁ ଏବେ ଆନ୍ଦୋଳନ ଚାଲୁଥିବାରୁ ଆମ ହାତ ବନ୍ଧା ହୋଇରହିଛି। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତାଳଚେର ଜନଶୁଣାଣିରେ ଥିବାରୁ ସେଠାକୁ ନେଇ ବାଛୁରିର ଚିକିତ୍ସା କରିବାକୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଗୋ ପାଳକ ତରୁଣ କହିଛନ୍ତି, ଗୋଟିଏ ପରେ ଗୋଟିଏ ସରକାରୀ ପ୍ରାଣୀଧନ ଚିକିତ୍ସାଳୟରୁ ନିରାଶ ହୋଇ ଫେରିବା ପରେ ବାହାରେ ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଚିକିତ୍ସା କରିବାରେ ସଫଳ ହୋଇଛୁ।