ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ ଅତିଥିମାନେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ତାଙ୍କ ତ୍ୟାଗ, ସେବା ଓ ମାନବିକତାର ଆଦର୍ଶକୁ ସ୍ମରଣ କରିଥିଲେ।

କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଚ୍ଛ ଯୋଗଦେଇ କହିଥିଲେ, ଗୋପବନ୍ଧୁ ଦାସ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଯୁଗ, ଏକ ଚିନ୍ତାଧାରା ଏବଂ ଓଡ଼ିଶାର ପ୍ରାଣସ୍ପନ୍ଦନ। ତାଙ୍କର ତ୍ୟାଗ, ସେବା ଓ ମାନବିକତାର ବାର୍ତ୍ତା ଆଜି ମଧ୍ୟ ସମାଜ ପାଇଁ ପ୍ରାସଙ୍ଗିକ। ତାଙ୍କ ଆଦର୍ଶକୁ ଅନୁସରଣ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ସ୍ମୃତି ସଭାରେ କୋରାପୁଟ ଉପଜିଲାପାଳ ଫାବି ରସିଦ, ଜୟପୁର ଉପଜିଲାପାଳ ଶୁଭ୍ରା ପଣ୍ଡା, ଜିଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନାଙ୍କ ସମେତ ସ୍ମୃତି କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଅତିଥିମାନେ ଗୋପବନ୍ଧୁଙ୍କ ଜୀବନାଦର୍ଶ ଓ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

Share