Categories: ଫୁରସତ

ଗୁଗ୍‌ଲ ମ୍ୟାପ୍‌ ଦେଖି ଚଳାଉଥିଲେ କାର୍‌, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ଗୁଗ୍‌ଲ ମ୍ୟାପ୍‌ ସମସ୍ତଙ୍କର ଆବଶ୍ୟକ ପଡୁଛି। ସହରର ଯେକୌଣସି ସ୍ଥାନକୁ ଯିବା ପାଇଁ ଲୋକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ଏହି ମ୍ୟାପ୍‌ ଦ୍ୱାରା ଆଉ କାହାକୁ ପଚାରିବାର ଆବଶ୍ୟକତା ବା ବାଟ ଖୋଜିବାର ଅସୁବିଧା ହୋଇ ନ ଥାଏ। ଗୁଗ୍‌ଲ ମ୍ୟାପ୍ସ ଜିପିଏସ ଅର୍ଥାତ୍‌ ଗ୍ଲୋବାଲ ପୋଜିସନ ସିଷ୍ଟମ ଉପରେ କାମ କରେ। ସାଟେଲାଇଟ୍‌ ସାହାଯ୍ୟରେ ମାର୍ଗଗୁଡ଼ିକ ଦର୍ଶାଯାଇଛି। କିନ୍ତୁ ବେଳେବେଳେ ଏହି ମ୍ୟାପ୍‌ ମଧ୍ୟ ପ୍ରତାରଣା କରେ ବା ଭୁଲ୍‌ ଦର୍ଶାଇଥାଏ। ଫଳରେ ଲୋକେ ଅସୁବିଧାରେ ପଡ଼ନ୍ତି। ଏହି ଗୁଗ୍‌ଲ ମ୍ୟାପ୍‌ ଦେଖି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଆମେରିକାର ଫିଲ୍‌ ପ୍ୟାକ୍ସନ ନାମକ ଜଣେ ବ୍ୟକ୍ତି ଝିଅର ଜନ୍ମଦିନ ଉତ୍ସବ ସାରି ଫେରୁଥିଲେ। ବର୍ଷାରେ ସେ ଗାଡ଼ି ଚଳାଇ ଆସୁଥିଲେ। ରାସ୍ତା ପାଇଁ ପାଇଁ ଜିପିଏସ ବ୍ୟବହାର କରୁଥିଲେ। କିନ୍ତୁ ତା’ପରେ ନାଭିଗେସନ ସିଷ୍ଟମ ତାଙ୍କୁ ଭୁଲ ଦିଗକୁ ନେଇଗଲା। କୌଣସି ବ୍ୟାରିକେଡ୍‌ ନ ଥିଲା। ତେଣୁ କାର୍‌ଟି ଭଙ୍ଗା ବ୍ରିଜରୁ ରାତିରେ ଖସିପଡ଼ିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ଏକ ସପ୍ତାହ ପୂର୍ବରୁ ଉତ୍ତର କାରୋଲିନାର ହିକୋରୀ ସହରରେ ଘଟିଥିଲା। ଫିଲ୍‌ଙ୍କ ଶାଶୁ ଲିଣ୍ଡା ମ୍ୟାକପି କୋଏନିଗ ସୋସିଆଲ ମିଡିଆରେ ତାଙ୍କ ପରିବାରକୁ ହୋଇଥିବା କ୍ଷତି ବିଷୟରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଫିଲ୍‌ ଦୁର୍ଘଟଣା ରାତିରେ ଜିପିଏସଠାରୁ ନିର୍ଦ୍ଦେଶ ନେଉଥିଲେ କାରଣ ଏହା ଏକ ଅନ୍ଧକାର ଏବଂ ବର୍ଷା ରାତି ଥିଲା। ନାଭିଗେସନ ସିଷ୍ଟମ ଫିଲ୍‌ଙ୍କୁ ଏକ ବ୍ରିଜକୁ ନେଇ ଯାଇ ଏକ ନଦୀ ଆଡ଼କୁ ଯାଇଥିଲା। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ପୋଲଟି ଭୁଶୁଡ଼ି ପଡ଼ଥିଲା। ସେବେଠାରୁ କୌଣସି ମରାମତି କରାଯାଇ ନ ଥିଲା।

ଲିଣ୍ଡା କହିଛନ୍ତି, ଏହି ପୋଲରେ କୌଣସି ଚିହ୍ନ କିମ୍ବା ସୁରକ୍ଷା ପ୍ରତିବନ୍ଧକ ନ ଥିଲା। ଯାହା ଫିଲ୍‌ଙ୍କୁ ବିପଦ ବିଷୟରେ ଚେତାବନୀ ଦେଇଥାନ୍ତା। ଏମିତି ହୋଇଥିଲେ ଦୁର୍ଘଟଣା ଘଟି ନ ଥାନ୍ତା ବୋଲି ଲିଣ୍ଡା ତାଙ୍କ ପୋଷ୍ଟରେ କହିଛନ୍ତି।

Share