ଗୁଗଲର ନିଆରା ଡୁଡଲ: ମାସ୍କ ଲଗାଇ ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ,୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହାର ନୂଆ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାକ୍ସିନ୍‌ ଆସିଯାଇଥିଲେ ମଧ୍ୟ ଏହାକୁ କାବୁ କରିହେଉନାହିଁ। ଫଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଗୁଗଲ ମାସ୍କ ପିନ୍ଧ ଓ ଜୀବନ ବଞ୍ଚାଓର ଏକ ସଚେତନତା ବାର୍ତ୍ତା ଡୁଡଲ ମାଧ୍ୟମରେ ଦେଇଛି। ମଙ୍ଗଳବାର ଗୁଗଲ ଏକ ନିଆରା ଡୁଡଲ ରି-ଲଞ୍ଚ କରିଛି। ଏଥିରେ ସମସ୍ତ ଅକ୍ଷର(ଆଲଫାବେଟ୍‌) ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଡୁଡଲ ମାଧ୍ୟମରେ ଲୋକଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହି ଡୁଡଲକୁ ଗୁଗଲ ଗତ ବର୍ଷ ଅଗଷ୍ଟରେ ଜାରି କରିଥିଲା। ତେବେ ପୁଣିଥରେ ଚଳିତ ବର୍ଷ ଏପ୍ରିଲ ୬ରେ ଏହାକୁ ଅପଡେଟ୍‌ କରାଯାଇଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ଗୁଗଲ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Share