Categories: ଖେଳ

୪ ବର୍ଷ ହେଲା ଟି୨୦ ଖେଳି ନାହାନ୍ତି ଅଶ୍ୱିନ, ତଥାପି ମିଳିଲା ବିଶ୍ୱକପ୍‌ ଦଳରେ ସ୍ଥାନ

ନୂଆଦିଲ୍ଲୀ,୯।୯: ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ଅନ୍ତିମ ଥର ୨୦୧୭ରେ କ୍ରିକେଟର ଛୋଟିଆ ଫର୍ମାଟରେ ଭାରତ ପାଇଁ ଖେଳିଥିଲେ। ୪ ବର୍ଷ ହେଲା ଟି୨୦ କ୍ରିକେଟ ଖେଳି ନ ଥିବା ଅଶ୍ୱିନଙ୍କୁ କାହିଁକି ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଲା? ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ଅଶ୍ୱିନଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ବାଦ୍‌ ପଡ଼ିଛନ୍ତି ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ।

ତେବେ ଆଇପିଏଲରେ ଭଲ ପ୍ରଦର୍ଶନ କାରଣରୁ ଅଶ୍ୱିନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିବା କହିଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା। ‘ଅଶ୍ୱିନ ଆଇପିଏଲରେ ନିୟମିତ ଖେଳୁଛନ୍ତି। ସେଠାରେ ତାଙ୍କ ପ୍ରଦର୍ଶନ ଭଲ ରହୁଛି। ବିଶ୍ୱକପ୍‌ରେ ଦଳକୁ ଅଫ୍‌ ସ୍ପିନର ଦରକାର। କାରଣ ଆଇପିଏଲ ଯୋଗୁ ୟୁଏଇର ସମସ୍ତ ପିଚ୍‌ ଧିମା ହୋଇଯିବ, ଯାହାକି ସିଧାସଳଖ ସ୍ପିନରଙ୍କୁ ଫାଇଦା ଦେବ। ଓ୍ବାଶିଂଟନ ସୁନ୍ଦର ଏବେ ଆହତ ଅଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କାରଣରୁ ଅଶ୍ୱିନଙ୍କୁ ଦଳରେ ଯାଗା ମିଳିଛି’ ବୋଲି ପୂର୍ବତନ କ୍ରିକେଟର ଚେତନ କହିଛନ୍ତି।

ବିଶ୍ୱକପ୍‌ ଲାଗି ଖେଳାଳିଙ୍କ ଚୟନରେ ଆଇପିଏଲର ଭୂମିକା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଆଇପିଏଲ ଏକ ବଡ଼ ଟୁର୍ନାମେଣ୍ଟ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଖେଳନ୍ତି। ଏଭଳି ଟୁର୍ନାମେଣ୍ଟରେ ଖେଳାଳିଙ୍କ ପ୍ରଦର୍ଶନ ଜଣାପଡ଼େ। ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ଥିବା ଖେଳାଳିଙ୍କୁ ସୁଯୋଗ ଦିଆଯିବ।

Share