ଦିଲ୍ଲୀରୁ ଖୁସି ଖବର, ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ହେଉଛି ଭାକ୍ସିନ୍‌…

ମୁମ୍ବାଇ/ପୁଣେ,୧୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି ପକ୍ଷରୁ କୁହାଯାଇଛି ଯେ, କରୋନା ଭାକ୍ସିନ୍‌ ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି। ଏନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏସମ୍ପର୍କରେ ପ୍ରକାଶିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମୋଟ ୬୭୭ ଲୋକଙ୍କ ସ୍ବାବ୍‌ ନମୁନା ଆଧାରରେ ଜିନୋମ୍‌ ସିକ୍ୱେନ୍ସି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୫୯୨ ଜଣଙ୍କୁ ଭାକ୍ସିନ୍‌ର ଉଭୟ ଡୋଜ୍‌ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୮୫ଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୬୭ ଜଣଙ୍କୁ ଗୁରୁତର ସ୍ବାସ୍ଥ୍ୟାବସ୍ଥା ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାକ୍ସିନ୍‌ ଦିଆଯାଇଥିତ୍ବା ଲୋକଙ୍କ ହାରାହାରି ବୟସ ୪୧ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଏହି ଗବେଷଣା କରାଯାଇଥିଲା। ମହାରାଷ୍ଟ୍ରରୁ ୫୩ ନମୁନା ସଂଗ୍ରହ କରାଯାଇଥିବାବେଳେ କର୍ନାଟକରୁ ସର୍ବାଧିକ ୧୮୧ ନମୁନା ସଂଗୃହୀତ ହୋଇଥିଲା। ଏଥିରେ ପଶ୍ଚିମବଙ୍ଗର ସର୍ବନିମ୍ନ ୧୦ ନମୁନା ଥିଲା।

Share