ନୂଆଦିଲ୍ଲୀ,୨୬।୧୦: ଭାରତୀୟ କ୍ରିକେଟ ଦଳର ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ଏବଂ ଉଇକେଟକିପର-ବ୍ୟାଟର ଋଷଭ ପନ୍ତ ଏବେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସରେ ନିଜ ଫିଟନେସ ଉପରେ କାମ କରୁଛନ୍ତି। ଉଭୟ ଖେଳାଳି ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟରେ ଖେଳିପାରନ୍ତି।
ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଲିଙ୍କନ୍ରେ ଇଣ୍ଡିଆ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ରେ ବୁମ୍ରା ଖେଳିବାର ସମ୍ଭାବନା ରହିଛି। ତେବେ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ବୁମ୍ରାଙ୍କୁ ଆବଶ୍ୟକ ଫିଟ୍ନେସ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ନଭେମ୍ବର ୧ ତାରିଖରେ ସେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ଋଷଭ ପନ୍ତ ମଧ୍ୟ ଇଣ୍ଡିଆ ଏ’ ପକ୍ଷରୁ ତୃତୀୟ ମ୍ୟାଚ ଖେଳିପାରନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ ବିସିସିଆଇର ମେଡିକାଲ ଟିମ୍ଠାରୁ ଅନୁମତି ନେବାକୁ ପଡ଼ିବ। ଇରାନୀ କପ ସମୟରେ ପାର୍ଶ୍ୱ ମାଂସପେଶୀରେ ଟାଣ ଲାଗିବା କାରଣରୁ ପନ୍ତ ଆହତ ହୋଇଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷରେ ରେଷ୍ଟ ଅଫ ଇଣ୍ଡିଆକୁ ବିଜୟୀ କରାଇବା ପରେ ସେ ଏହି ସମସ୍ୟାରେ ପଡ଼ିଥିଲେ।
ଆଘାତ ଯୋଗୁ ପନ୍ତ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡରେ ଦିଲ୍ଲୀ ପକ୍ଷରୁ ଖେଳିପାରି ନ ଥିଲେ। ଏହା ସହ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଦୁଇଟି ଅନଅଫିସିଆଲ ଟେଷ୍ଟରୁ ମଧ୍ୟ ସେ ବାଦ ପଡ଼ିଥିଲେ। ବୁମ୍ରା ଓ ପନ୍ତ ଉଭୟ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରଥମ ଟେଷ୍ଟ ନଭେମ୍ବର ୧୯ରୁ ୱେଲିଂଟନ୍ରେ ଏବଂ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୭ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ବୁମ୍ରା ଓ ପନ୍ତ ଯଦି ତୃତୀୟ ଅନଅଫିସିଆଲ ଟେଷ୍ଟରେ ଖେଳିବାକୁ ସକ୍ଷମ ହୁଅନ୍ତି, ତେବେ ମୁଖ୍ୟ ଟେଷ୍ଟ ସିରିଜ ପୂର୍ବରୁ ସେମାନଙ୍କ ମ୍ୟାଚ ଫିଟ୍ନେସ ପରଖିବାର ସୁଯୋଗ ମିଳିବ।