ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ ମିଳିତ ଭାବେ ଉତ୍ପାଦନ କରିବାକୁ ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ୨ ଦେଶ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ରଣନୀତିକ ସହଭାଗିତା ଉପରେ ରୁଷିଆ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି।
ମସ୍କୋ ବହୁ ଦଶନ୍ଧି ଧରି ନୂଆଦିଲ୍ଲୀର ମୁଖ୍ୟ ପ୍ରତିରକ୍ଷା ଯୋଗାଣକାରୀ ରହିଆସିଛି। ତେବେ ୟୁକ୍ରେନ୍‌ ସହ ଯୁଦ୍ଧ ଲାଗିରହିଥିବାରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାବେଳେ ଭାରତ ସାମରିକ ସରଞ୍ଜାମ କ୍ରୟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ସହ କୌଣସି ଗୋଟିଏ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିଛି। ଏହି ପରିପ୍ରେକ୍ଷୀରେ ଭାରତର ନିଜସ୍ବ ୫ମ ପିଢ଼ି ଯୁଦ୍ଧବିମାନ ବିକାଶ ଲକ୍ଷ୍ୟରେ କାର୍ଯ୍ୟକ୍ରମ ଆରମ୍ଭ କରିଛି।
ଗୁରୁବାର ରାତିରେ ପ୍ରମୁଖ ବୈଶ୍ୱିକ ନ୍ୟୁଜ୍‌ ଏଜେନ୍ସଗୁଡ଼ିକର ମୁଖ୍ୟମାନଙ୍କ ସହ ଆଲୋଚନା ବେଳେ ଭାରତ-ରୁଷିଆ ପ୍ରତିରକ୍ଷା ଓ ସାମରିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏସ୍‌ୟୁ-୫୭ ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀକୁ ସାମିଲ କରିବା ଲାଗି ମସ୍କୋ ଏବେ ବି ଆଗ୍ରହୀ ବୋଲି ପୁଟିନ୍‌ କହିଛନ୍ତି। ନୀତିଗତ ଭାବେ ଏହା ରୁଷିଆ-ଭାରତର ଉତ୍ପାଦନ ହୋଇପାରିବ। ଆମେ ଏହାକୁ ସ୍ବାଧୀନ ଭାବେ ନିର୍ମାଣ କରିବୁ ଓ ଏଥିପାଇଁ ଭାରତ ସହ କାମ କରିବାକୁ ପ୍ରସ୍ତୁତ, ଏଥିରେ କୌଣସି କଟକଣା ରହିବ ନାହିଁ ବୋଲି ରୁଷିଆ ରାଷ୍ଟ୍ରପତି କହିଛନ୍ତି।
ରୁଷିଆ ପ୍ରସ୍ତାବ ପ୍ରତି ଭାରତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦ୍ୱାର ବନ୍ଦ କରିନାହିଁ। ସମ୍ଭାବ୍ୟ ସହଭାଗିତା ପାଇଁ ଯୁଦ୍ଧଜାହାଜର ନିର୍ମାତା ସୁଖୋଇ ଡିଜାଇନ୍‌ ବ୍ୟୁରୋ ସହ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିଃ (ହାଲ୍‌) ଯୋଗାଯୋଗରେ ରହିଛି। ଭାରତ ନିଜସ୍ବ ଯୁଦ୍ଧବିମାନ ନିର୍ମାଣ ପାଇଁ ଏଏ୍‌ସିଏ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ମଧ୍ୟ ସେଠାରୁ ନିର୍ମିତ ଏୟାରକ୍ରାଫ୍ଟ ୨୦୩୫ ପୂର୍ବରୁ ଭାରତୀୟ ବାୟୁସେନାରେ ସାମିଲ ହୋଇ ନ ପାରେ। ତେଣୁ ସରକାର ଅନୂ୍ୟନ ୨ ସ୍କ୍ବାଡ୍ରନ୍‌ (୩୬ଟି) ଏସ୍‌ୟୁ-୫୭ ଏୟାରକ୍ରାଫ୍ଟ କିଣିବା ପାଇଁ ବିଚାର କରୁଛନ୍ତି। ଭାରତ ଏବଂ ରୁଷିଆ ମିଳିତ ଭାବେ ୫ମ ପିଢ଼ି ଯୁଦ୍ଧବିମାନର ବିକାଶ ଓ ଉତ୍ପାଦନ ପାଇଁ ପାଖାପାଖି ୧୫ ବର୍ଷ ହେଲା କଥାବାର୍ତ୍ତା ଚଳାଇଥିବାବେଳେ ୨୦୨୧ରେ ନୂଆଦିଲ୍ଲୀ ଏଥିପାଇଁ ଅନାଗ୍ରହ ପ୍ରକାଶ କରିଥିଲା। କାରଣ ଏଥିପାଇଁ ପାଖାପାଖି ୩୦ ବିଲିୟନ ଡଲାର (୨ ଲକ୍ଷ କୋଟି ଟଙ୍କା) ବ୍ୟୟ ହେବ ବୋଲି ଆକଳନ କରାଯାଇଥିଲା। ଭାରତ ସହ ସମନ୍ବିତ ଏୟାର ଡିଫେନ୍ସ ସିଷ୍ଟମ୍‌ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମର ବିକାଶ ପାଇଁ ରୁଷିଆ ହାତ ମିଳାଇବାକୁ ଆଗ୍ରହୀ ବୋଲି ପୁଟିନ୍‌ କହିଛନ୍ତି। ଭାରତ ସୁଦର୍ଶନ ଚକ୍ର ନାମରେ ନିଜସ୍ବ ଏୟାର ଡିଫେନ୍ସ ସିଷ୍ଟମ୍‌ର ବିକାଶ କରୁଛି, ଯେଉଁଥିରେ ରୁଷିଆ ନିର୍ମିତ ଏସ୍‌-୪୦୦ ମିଶାଇଲ୍‌ ସିଷ୍ଟମ୍‌ ଏହାର ମୁଖ୍ୟ ଉପାଦାନ ହେବାକୁ ଯାଉଛି। ରୁଷିଆରୁ ୫ ସ୍କ୍ବାଡ୍ରନ୍‌ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍‌ କିଣିବା ଲାଗି ଭାରତ୨୦୧୮ରେ ଚୁକ୍ତି ସ୍ବାକ୍ଷର କରିଥିବାବେଳେ ଏପର୍ଯ୍ୟନ୍ତ ୫ମ ସ୍କ୍ବାଡ୍ରନ୍‌ ମିଳିନାହିଁ। ଅପରେଶନ ସିନ୍ଦୂର ବେଳେ ଏସ୍‌-୪୦୦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

Odisha’s No.1 Odia Daily

Share