ନୂଆଦିଲ୍ଲୀ, ୧୮ା୮: ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଜୋର୍ଦାର ସ୍ବାଗତ କରାଯାଇଛି। ବିମାନବନ୍ଦରରେ ଭାରତୀୟ ତ୍ରିରଙ୍ଗା ଏବଂ ଢୋଲ ବଜାଇ ଅନେକ ଲୋକ ଶୁଭାଂଶୁଙ୍କର ସ୍ବାଗତ କରିଥିଲେ। ଏହି ଅବସରରେ ଏୟାରପୋର୍ଟରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଅଧ୍ୟକ୍ଷ ଭି. ନାରାୟଣନ, କେନ୍ଦ୍ର ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଶୁଭାଂଶୁଙ୍କ ସ୍ତ୍ରୀ କାମନା ଓ ପୁଅ କିଆଶ୍ ଉପସ୍ଥିତ ଥିଲେ। ଶୁଭାଂଶୁଙ୍କ ସହଯୋଗୀ ତଥା ଆକ୍ସିଓମ୍-୪ ମିଶନରେ ବ୍ୟାକ୍ଅପ୍ ମହାକାଶଚାରୀ ଥିବା ପ୍ରଶାନ୍ତ ବାଲ୍କ୍ରିଷ୍ଣନ ନାୟାର ମଧ୍ୟ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମହାକାଶ ଉଡ଼ାଣର ଟ୍ରେନିଂ ପାଇଁ ଶୁଭାଂଶୁ ପ୍ରାୟ ବର୍ଷେ ହେବ ଆମେରିକାରେ ଥିଲେ। ସୋମବାର ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି। ଏହାପରେ ସେ ନିଜ ସହର ଲକ୍ଷ୍ନୌକୁ ଯିବେ। ତେବେ ଆସନ୍ତା ୨୨ ଏବଂ ୨୩ରେ ନୂଆଦିଲ୍ଲୀଠାରେ ହେବାକୁ ଥିବା ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗଦେବା ନିମନ୍ତେ ସେ ପୁନର୍ବାର ଦିଲ୍ଲୀ ଆସିବେ। ସୋମବାର ଲୋକ ସଭାରେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଆବଶ୍ୟକ ମହାକାଶ କାର୍ଯ୍ୟକ୍ରମରେ ଆକ୍ସିଓମ୍-୪ ମିଶନ ଓ ଶୁଭାଂଶୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ଆଲୋଚନା ହୋଇପାରେ।


