ଗଞ୍ଜେଇ ଚାଲାଣ ବେଳେ ଗୋଲୁର ସରପଞ୍ଚ ଗିରଫ

କୋରାପୁଟ,୪ା୪(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଦେଇ ଝାଡଖଣ୍ଡ ଗଞ୍ଜେଇ ଚାଲାଣ ବେଳେ ସୋମବାର ଆନ୍ଧ୍ରର ଆରକୁ ପୋଲିସ ଚଢାଉ କରି ୬୮୦ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ଜଣେ ସରପଞ୍ଚଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ଗୋଲୁର ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସୁବାଷ ପାଙ୍ଗି ରହିଥିବା ଜଣାଯାଇଛି।
ଖବରରୁ ଜଣାପଡିଛି ଆରକୁ ପୋଲିସ ଚନ୍ଦ୍ରପୁର ଛକ ନିକଟରେ ଗାଡିମୋଟର ଯାଞ୍ଚ କରୁଥିବାବେଳେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ଟ୍ରକ ଚାଳକ ଆନ୍ଧ୍ର ପୋଲିସକୁ ଦେଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପୋଲିସର ସନ୍ଦେହ ହେବାରୁ ଟ୍ରକ ଉପର ଭାଗରେ ଥିବା କ୍ୟାବିନ ଯାଞ୍ଚ କରିବାରୁ ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା। ଟ୍ରକରୁ ମୋଟ ୬୮୦ କେଜି ଗଞ୍ଜେଇ ମିଳିଥିଲା। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଅଞ୍ଚଳର ପଙ୍କଜ ଆଦିବାସୀଙ୍କୁ ପ୍ରଲୋଭିତ କରି ଏଭଳି ଗଞ୍ଜେଇ ଚାଲାଣ କରୁଥିଲେ। ମାତ୍ର ସଠିକ ପ୍ରମାଣ ମିଳୁ ନ ଥିବାରୁ ତାଙ୍କୁ ଧରାଯାଇପାରୁ ନ ଥିଲା। ତେବେ ସେ ଦୀର୍ଘଦିନ ଧରି ପୋଲିସ ସ୍କାନରରେ ଥିଲେ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।