ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା କାର୍ଯ୍ୟ ନିମ୍ନମାନର

ବରୀ,୨୯ା୯(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ଗୋଳକୁଣ୍ଡ-ଇନ୍ଦୁପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ନିମନ୍ତେ ବିଭାଗ ତରଫରୁ ୩୩ କୋଟି ୫୦ ଲକ୍ଷ ୮୧୩ ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଠିକାଦାର ବ୍ୟୟ ଅଟକଳ ଅନୁସାରେ କାମ ନ କରି ମନଇଚ୍ଛା କାମ କରୁଛନ୍ତି। ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଠିକାଦାରଙ୍କ ଲୋକ ସେମାନଙ୍କୁ ନାନା ଧମକଚମକ ଦେଉଛନ୍ତି। ଏହି ରାସ୍ତାଦେଇ ଗୋଳକୁଣ୍ଡ, ବାଲିଆ, ଧାରପୁର, ସ୍ବାଇଁଖଣ୍ଡ, ସାହୁପଡ଼ା, ଇଶାଣପୁର, ଚନ୍ଦନପୁର, ମନ୍ଦାରୀ ଓ ଗମୁ ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି। ତେଣୁ ନିମ୍ନମାନର କାମକୁ ନେଇ ଗମୁ ସରପଞ୍ଚ ଜଗଦିଶ ଜେନା, ମନ୍ଦାରୀ ସରପଞ୍ଚ ଧୀରେନ୍ଦ୍ର ଜେନା, ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ, ବାଲିଆ ସରପଞ୍ଚ ରେବତୀ ଜେନା ଓ ସାହୁପଡ଼ା ସରପଞ୍ଚ ସଞ୍ଜୟ ସେଠୀଙ୍କ ସମେତ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ୫-ଟି ସଚିବ, ବରୀ ବିଧାୟିକା, ଯାଜପୁର ଜିଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରଛନ୍ତି। ଆଗାମୀ ଦିନରେ ଯଦି ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅଭିଯୋଗ କରିଥିବା ସରପଞ୍ଚଙ୍କ ସମେତ ଗ୍ରାମବାସୀ ରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନରୋତ୍ତମ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଆମର ହସ୍ତଗତ ହୋଇଛି। ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୋଗର ଯାଞ୍ଚ କରାଯିବ। ଯଦି ଘଟଣାରେ ସତ୍ୟତା ଥାଏ ତାହେଲେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନିକଟରେ ଦାବି ହୋଇ ଆସୁଥିଲା। ସ୍ଥାନୀୟ ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର ଦାବିକୁ ଗୁରୁତ୍ୱ ଦେଇ ବିଧାୟିକା ରାସ୍ତାର ସମ୍ପ୍ରସାରଣ ନିମନ୍ତେ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ସରକାରଙ୍କ ତରଫରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି।