ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ୮.୫ ଫୁଟ୍ ଉଚ୍ଚ ନଗ୍ନ ପ୍ରତିମୂର୍ତ୍ତିକୁ ୨୩ କ୍ୟାରେଟ୍ ସୁନାରେ ଢାଙ୍କି ଷ୍ଟ୍ରାସବର୍ଗରେ ପ୍ରଦର୍ଶିତ କରାଯାଇଛି।ଡେନମାର୍କର କଳାକାର ଜେନ୍ସ ଗାଲସ୍ଚିଓଟ୍ ଏହି ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଦ ଅରେଞ୍ଜ ପ୍ଲେଗ୍’। ଏହାକୁ ‘କିଙ୍ଗ ଅଫ୍ ଇନ୍ଜଷ୍ଟିସ୍’ ବୋଲି ମଧ୍ୟ କୁହାଯାଉଛି।
ପ୍ରତିମୂର୍ତ୍ତିରେ ଟ୍ରମ୍ପଙ୍କୁ ଜଣେ ଦୁର୍ବଳ ବ୍ୟକ୍ତିଙ୍କ କାନ୍ଧ ଉପରେ ବସିଥିବା ଦେଖାଯାଇଛି । ଟ୍ରମ୍ପଙ୍କ ହାତରେ ରହିଛି ଏକ ଲମ୍ବା ଗଲ୍ଫ କ୍ଲବ୍ ଏବଂ ନ୍ୟାୟର ତରାଜୁ । ପ୍ରତିମୂର୍ତ୍ତିର ପାଦପୀଠରେ ଏକ ବ୍ୟଙ୍ଗାତ୍ମକ ବାର୍ତ୍ତା ଲେଖାଯାଇଛି—‘ମୁଁ ଜଣେ ବ୍ୟକ୍ତିଙ୍କ ପିଠି ଉପରେ ବସିଛି । ସେ ମୋ ଭାରରେ ତଳକୁ ଯାଉଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସବୁକିଛି କରିବି । କେବଳ ତାଙ୍କ ପିଠିରୁ ଓହ୍ଲାଇବି ନାହିଁ।’
କଳାକାର ଜେନ୍ସ ଗାଲସ୍ଚିଓଟ୍ କହିଛନ୍ତି, ଟ୍ରମ୍ପ ସୁନାକୁ ପସନ୍ଦ କରନ୍ତି। ତେଣୁ ଏହି ମୂର୍ତ୍ତି ତାଙ୍କୁ ମଧ୍ୟ ପସନ୍ଦ ଆସିପାରେ ବୋଲି ସେ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି। କଳାକାରଙ୍କ ଅନୁସାରେ, ଏହି କଳାକୃତି ଆମେରିକାର ରାଷ୍ଟ୍ରପତିଙ୍କ ନୀତି ଏବଂ ପରିବେଶ ଓ ନିୟମଭିତ୍ତିକ ବିଶ୍ୱ ବ୍ୟବସ୍ଥା ପ୍ରତି ତାଙ୍କ ଆଭିମୁଖ୍ୟକୁ ନେଇ ଏକ ପ୍ରତୀକାତ୍ମକ ବାର୍ତ୍ତା। ଏହି ପ୍ରଦର୍ଶନୀକୁ ୟୁରୋପୀୟ ସଂସଦର ସଦସ୍ୟ ତଥା ଡେନମାର୍କର ରାଜନେତା ପର୍ କ୍ଲାଉସେନ୍ ସ୍ପନ୍ସର କରିଛନ୍ତି । ସଂସଦ ସଦସ୍ୟମାନେ ପରିସରରେ ପ୍ରଦର୍ଶନୀ ଆୟୋଜନ କରିପାରନ୍ତି, କିନ୍ତୁ ଏଥିପାଇଁ ଅଧିକାରୀଙ୍କ ଅନୁମତି ଆବଶ୍ୟକ। ଗାଲସ୍ଚିଓଟ୍ କହିଛନ୍ତି ଯେ, ତାଙ୍କୁ ଭୟ ଥିଲା ଯେ ଏହି ପ୍ରଦର୍ଶନୀ ପାଇଁ ଅନୁମତି ମିଳିବ ନାହିଁ । ତେବେ ଅନୁମତି ମିଳିବାକୁ ସେ ୟୁରୋପୀୟ ରାଜନେତାଙ୍କ ଏକ ପ୍ରକାର ନିରବ ସମର୍ଥନ ଭାବେ ଦେଖୁଛନ୍ତି।
ଟ୍ରମ୍ପଙ୍କୁ ନଗ୍ନ ଭାବେ ଦର୍ଶାଇବା ପଛରେ ମଧ୍ୟ ଏକ ବିଶେଷ କାରଣ ରହିଛି । ଡେନମାର୍କର ପ୍ରସିଦ୍ଧ ଲେଖକ ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନଙ୍କ ‘ଦ ଏମ୍ପରର୍ସ ନ୍ୟୁ କ୍ଲୋଥ୍ସ’ କାହାଣୀରୁ ସେ ପ୍ରେରଣା ନେଇଥିବା କହିଛନ୍ତି । ଏହି କାହାଣୀରେ ଜଣେ ଅହଂକାରୀ ସମ୍ରାଟଙ୍କୁ ନଗ୍ନ ଅବସ୍ଥାରେ ସହର ପରିକ୍ରମା କରୁଥିବା ଦେଖାଯାଇଥାଏ । ଗାଲସ୍ଚିଓଟ୍ଙ୍କ କହିବା ଅନୁସାରେ, “ଏକଛତ୍ରବାଦୀ ଶାସକମାନେ ନିଜକୁ ନେଇ ଲୋକେ ହସିବାକୁ ପସନ୍ଦ କରନ୍ତି ନାହିଁ।” ଏହା ପୂର୍ବରୁ ମଧ୍ୟ ଜେନ୍ସ ଗାଲସ୍ଚିଓଟ୍ ତାଙ୍କ ବିବାଦୀୟ ରାଜନୈତିକ କଳାକୃତି ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ‘ପିଲାର୍ ଅଫ୍ ଶେମ୍’ ନାମକ ସ୍ମାରକ ଚୀନ୍ର ତିଆନାନମେନ୍ ସ୍କୋୟାର ଘଟଣାରେ ମୃତକଙ୍କ ସ୍ମୃତିରେ ନିର୍ମିତ ହୋଇଥିଲା।