ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର ଲଭଲିନା ବୋରଗୋହେନ। ଫାଇନାଲରେ ସେ ଚାଇନାର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରି ସ୍ବର୍ଣ୍ଣ ନିଜ ନାମରେ କରିଛନ୍ତି।

ମୁକାବିଲାର ପ୍ରଥମ ଦୁଇ ରାଉଣ୍ଡରେ ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ଲଭଲିନା ଅତି କମ ବ୍ୟବଧାନରେ ଆଗୁଆ ରହିଥିଲେ। ତେବେ ନିର୍ଣ୍ଣାୟକ ତୃତୀୟ ରାଉଣ୍ଡରେ ଲଭଲିନା ନିଜ ଆକ୍ରମଣକୁ ଆହୁରି ତୀବ୍ର କରିଥିଲେ। ଶେଷ ରାଉଣ୍ଡରେ ସେ ଏକତରଫା ପ୍ରଭାବ ଦେଖାଇ ମ୍ୟାଚକୁ ୫-୦ରେ ଜିତି ନେଇଥିଲେ।

ପୂର୍ବତନ ବିଶ୍ୱ ଚାମ୍ପିଅନ ଲଭଲିନାଙ୍କ ପାଇଁ ଏହି ବିଜୟ ବିଶେଷ ମହତ୍ତ୍ୱ ରଖେ। ଏସିଆନ ଗେମ୍ସରେ ଏହା ତାଙ୍କର ପ୍ରଥମ ସ୍ବର୍ଣ୍ଣ ପଦକ। ୨୦୨୨ ଏସିଆନ ଗେମ୍ସରେ ଲଭଲିନାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଚାରି ବର୍ଷ ପରେ ସେ ସ୍ବର୍ଣ୍ଣ ଜିତିଛନ୍ତି।

ଏହି ବିଜୟ ସହ ଭାରତୀୟ ମହିଳା ବକ୍ସିଂ ମଧ୍ୟ ଏକ ବିଶେଷ ସଫଳତା ହାସଲ କରିଛି। ୨୦୧୪ ପରେ ପ୍ରଥମ ଥର ପାଇଁ ଭାରତର ଜଣେ ମହିଳା ବକ୍ସର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଲଭଲିନାଙ୍କ ପୂର୍ବରୁ ଭାରତ ପାଇଁ ଏସିଆନ ଗେମ୍ସର ମହିଳା ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କ ମଧ୍ୟରେ ମେରିକମଙ୍କ ନାମ ରହିଛି। ଲଭଲିନାଙ୍କ ଏହି ସ୍ବର୍ଣ୍ଣିମ ସଫଳତା ଭାରତୀୟ ବକ୍ସିଂ ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।

Dharitri – Odisha’s No.1 Odia Daily

 

Share