ସୁନା ବ୍ୟବସାୟୀଙ୍କୁ ଆକ୍ରମଣ: ଗୁଡାରିରେ ଆତଙ୍କ

ଗୁଡାରି,୨୬।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲାର ଗୁଡାରି ସହରରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଡକାୟତ ଗ୍ୟାଙ୍ଗ ମରଣାନ୍ତକ ଆକ୍ରମଣ କରିଛି।ଏଥିରେ ସେ ଗୁରୁତ ହୋଇ ବିଶାଖାପାଟଣାକୁ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ଅନୁସାରେ, ଜଣେ ସୁନା ବ୍ୟବସାୟୀ ଜଣକ (ଏସ୍‌ବିଆଇ ଏଟିଏମ୍‌ ସମ୍ମୁଖରେ ଅବସ୍ଥିତ) ତାଙ୍କ ଦୋକାନ ଯାଞ୍ଚ କରିବା ପାଇଁ ରାତିରେ ପୁରୁଣା ବ୍ୟାଙ୍କ ସାହିରେ ଥିବା ନିଜ ବାସଭବନରୁ ବାହାରିଥିଲେ। ସିସି କ୍ୟାମେରା କାମ ନ କରୁଥିବାରୁ ସେ ସନ୍ଦେହବଶତଃ ଦୋକାନ ଦେଖିବାକୁ ଯାଉଥିଲେ।ଘରୁ ପ୍ରାୟ ୧୦୦ ମିଟର ଦୂରକୁ ଯାଇଥିବା ବେଳେ ପୂର୍ବରୁ ଲୁଚି ରହିଥିବା ୬ ଜଣ ମାସ୍କ ପିନ୍ଧା ଡକାୟତ ଗ୍ୟାଙ୍ଗ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ମୁଣ୍ଡରେ ଆକ୍ରମଣ କରିଥିଲେ।ବ୍ୟବସାୟୀଙ୍କ କହିବା ଅନୁସାରେ, ସେ ଯିବା ସମୟରେ ଡକାୟତମାନେ ହଠାତ୍‌ ବାହାରି ଆକ୍ରମଣ କରିଥିଲେ। ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ ଏବଂପରେ କିଛି ମନେ ନଥିବା କହିଛନ୍ତି।ପରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ୭ଟି ଷ୍ଟିଜ୍ ପଡ଼ିଥିବା ବେଳେ ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ, ଡକାୟତ ଗ୍ୟାଙ୍ଗ ସହରର ଜଣେ ବଡ଼ ସୁନା ବ୍ୟବସାୟୀଙ୍କ ଦୋକାନ ଓ ଘର ସାମ୍ନାରେ ଲାଗିଥିବା ଦୁଇଟି ସିସି କ୍ୟାମେରାକୁ ସେଲୋଟେପ୍‌ ଲଗାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଏହି ସମୟରେ ଅନ୍ୟ ଜଣେ ସୁନା ବ୍ୟବସାୟୀ ସେଠାରେ ପହଞ୍ଚିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା।ଏହା ସହିତ, ସେହି ସୁନା ଦୋକାନର ମୁଖ୍ୟ ଫାଟକର ତାଲା ଭାଙ୍ଗି ଡକାୟତମାନେ ଫାଟକ ଖୋଲି ଚାଲିଯାଇଥିବା ଜଣାପଡ଼ିଛି।ଖବର ପାଇ ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ଓ ସବ୍‌-ଇନ୍ସପେକ୍ଟର ରୁଦ୍ର ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ସିସି ଫୁଟେଜ ଯାଞ୍ଚ କରିଛନ୍ତି ଏବଂ ଅଧିକ ତଦନ୍ତ ଜାରି ରଖିଛନ୍ତି।ଘଟଣା ପରେ ସହରରେ ଭୟର ପରିବେଶ ସୃଷ୍ଟି ହୋଇଛି, କାରଣ ଏପରି ଘଟଣା ପୂର୍ବରୁ କେବେ ଘଟିନଥିଲା। ଏନେଇ ଥାନା ଅଧିକାରୀ କହିଛନ୍ତି ଯେ, ସେ ରାତି ୧.୨୦ ବେଳେ ପେଟ୍ରୋଲିଂ କରି ଫେରିଥିଲେ ଏବଂ ଘଟଣାର ତଦନ୍ତ ଚାଲିଛି।

Dharitri – Odisha’s No.1 Odia Daily

Share