Categories: ଖେଳ

ବାପିଙ୍କୁ ସ୍ବର୍ଣ୍ଣ, ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): କର୍ନାଟକର ଉଡୁପ୍ପିଠାରେ ଅନୁଷ୍ଠିତ ୧୮ତମ ଜାତୀୟ ୟୁଥ୍‌ (୧୮ ବର୍ଷରୁ କମ୍‌) ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସ ରବିବାର ଓଡ଼ିଶାକୁ ୩ ପଦକ ମିଳିଛି। ଫଳରେ ଓଡ଼ିଶାର ପଦକ ସଂଖ୍ୟା ମୋଟ୍‌ ୫ରେ ପହଞ୍ଚତ୍ଛି। ବାପି ହାଂସ୍‌ଦା ୪୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ଲାଭ ସହ ଏସିଆନ ୟୁଥ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ୫୧.୯୫ ସେକେଣ୍ଡ ସମୟ ନେଇଥିବାବେଳେ ଏସୀୟ ପ୍ରତିଯୋଗିତାର କ୍ୱାଲିଫାଇଂ ଟାଇମିଂ ହେଉଛି ୫୩.୩୪ ସେକେଣ୍ଡ। ତାମିଲନାଡ଼ୁର ବିଷ୍ଣୁ ଶ୍ରୀ ଏବଂ ଜେରୋମି ସଞ୍ଜୟ ୫୪.୦୫ ଓ ୫୪.୯୩ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି।

ମହମ୍ମଦ ରେୟନ ବାଶା ୨୦୦ ମିଟର ରେସ୍‌କୁ ୨୨.୨୨ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଛନ୍ତି। ବ୍ୟକ୍ତିଗତ ଭାବେ ଏହା ଥିଲା ତାଙ୍କର ଦ୍ୱିତୀୟ ପଦକ। ଶନିବାର ସେ ୧୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୨୦୦ ମିଟରରେ ମଧ୍ୟପ୍ରଦେଶର ଅଭୟ ସିଂ ୨୧.୮୭ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ଉତ୍ତର ପ୍ରଦେଶର ଶିବମ୍‌ ୨୨.୨୯ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ। ଅନ୍ତିମ ଦିବସରେ ଓଡ଼ିଶାକୁ ତୃତୀୟ ପଦକ ଦେଇଥିଲେ ୟୁଥ୍‌ ମିଡ୍‌ଲେ ରିଲେ ଟିମ୍‌। ମହମ୍ମଦ ରେୟନ ବାଶା, ରାଜେନ୍ଦ୍ର ସିନ୍ଧ, ଚିନ୍ମୟ ନାଗ ଓ ବାପି ହାଂସ୍‌ଦାଙ୍କୁ ନେଇ ଗଠିତ ଦଳ ୧ ମିନିଟ ୫୭.୫୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲା।

ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ପାଇଛି। ଏସିଆନ ୟୁଥ୍‌ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ଏପ୍ରିଲ ଶେଷ ସପ୍ତାହରେ ଉଜ୍‌ବେକିସ୍ତାନରେ ଅନୁଷ୍ଠିତ ହେବ। ପଦକ ବିଜୟୀ ଓଡ଼ିଆ ପ୍ରତିଯୋଗୀଙ୍କୁ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଓ ସଭାପତି ଜି.ଏସ୍‌. ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

Share