ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇ ଯାଉଛି। ଅନେକ ଥର ମନକୁ ଆସିଥାଏ ସୁନା ମାଗଣାରେ ମିଳିଯାନ୍ତାନି। ଏବେ ଏହି କଥା ସତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଉତ୍ତରପ୍ରଦେଶର ଶାମଲି ଜିଲାର ଏକ ଚାଷ ଜମି ଖୋଳିବା ସମୟରେ ସୁନା ଓ ରୂପା ମୁଦ୍ରା ବାହାରିଛି। ଏହି ସୁନା ଓ ରୂପା ମୁଦ୍ରା ବହୁ ପ୍ରାଚୀନ କାଳର ବୋଲି ଜଣାପଡ଼ିଛି। ରବିବାର ଟ୍ରାକ୍ଟରେ ଜମି ହଳ ସମୟରେ ସୁନା, ରୂପା ମୁଦ୍ରା ବାହାରୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ପରେ ଗ୍ରାମବାସୀ ଏକତ୍ରିତ ହୋଇଗଲେ। ଯାହା ହାତରେ ଯାହା ପଡ଼ିଲା ସେ ତାକୁ ନେଇ ଘରକୁ ପଳାଇଲେ।

ଅନ୍ୟପକ୍ଷରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଗ୍ରାମବାସୀ କିଛି ମୁଦ୍ରାନେଇ ନ ଥିବା କହିଥିଲେ। ମାତ୍ର ୩ ମୁଦ୍ରାର ଫଟୋ ଗଣମାଧ୍ୟମ ହାତରେ ଲାଗିଥିଲା। ଯେଉଁଥିରେ ଦୁଇଟି ସୁନା ଏବଂ ଗୋଟିଏ ରୂପା ମୁଦ୍ରା ରହିଛି। ରୂପା ମୁଦ୍ରା ଉପରେ ଆରବୀରେ ରହମୁତୁଲ୍ଲା ଇବ୍‌ ମହମ୍ମଦ ଏବଂ ସୁନା ମୁଦ୍ରାରେ କଲମା ଲେଖାଯାଇଛି।
ଏ ବିଷୟରେ ଜମି ମାଲିକ ଓମ ସିଂ କହିଛନ୍ତି, କିଛି ମୁଦ୍ରା ବାହାରିଛି। ତେବେ କେତେ ରୂପା କେତେ ସୁନା ତାହା ସେ ଜାଣି ନଥିବା କହିଛନ୍ତି। ସେହିପରି ଗ୍ରାମ ମୁଖ୍ୟ ରାଜ କୁମାର କହିଛନ୍ତି , ସୁନା ମିଳିଥିବା ସେ ଜାଣିଛନ୍ତି କିନ୍ତୁ ଦେଖି ନାହାନ୍ତି।

Share