ନୂଆଦିଲ୍ଲୀ,୧୯।୬: ରାଜଧାନୀ ଦିଲ୍ଲୀର ସରଫା ବଜାରରେ ଶୁକ୍ରବାର ସୁନା ଏବଂ ରୁପା ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି। କ୍ରମାଗତ ଚତୁର୍ଥ କାରବାର ଦିବସରେ ସୁନା ଦର କମିଛି ଏବଂ ଏହା ୨,୮୪୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୦,୬୦୦ ଟଙ୍କାକୁ ଚାଲିଆସିଛି। ଏହାପୂର୍ବରୁ ଗୁରୁବାର ଦିନ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତି ୧୦ ଗ୍ରାମ ୧,୫୩,୪୪୦ ଟଙ୍କାରେ ବନ୍ଦ ହୋଇଥିଲା ।
ବଜାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିଶ୍ୱ ସ୍ତରରେ ଡଲାରର ମଜବୁତ ସ୍ଥିତି ଏବଂ ନିବେଶକଙ୍କ ବଦଳୁଥିବା ରଣନୀତି ଯୋଗୁ ସୁନା ମୂଲ୍ୟ ଉପରେ ଚାପ ରହିଛି। ଏହାଦ୍ୱାରା ଘରୋଇ ବଜାରରେ ମଧ୍ୟ ସୁନା କ୍ରମାଗତ ଭାବେ ଶସ୍ତା ହେବାରେ ଲାଗିଛି।
ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ତୀବ୍ର ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ରୁପା ଦର ୮,୦୪୦ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୪୦,୭୦୦ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସ୍ତର।
ଗତ କାରବାର ଦିବସରେ ରୁପା ପ୍ରତି କିଲୋଗ୍ରାମ ୨,୪୮,୭୪୦ ଟଙ୍କାରେ ବନ୍ଦ ହୋଇଥିଲା । ଏହାପୂର୍ବରୁ ଏପ୍ରିଲ ୭ ରେ ମଧ୍ୟ ରୁପା ପ୍ରତି କିଲୋଗ୍ରାମ ପ୍ରାୟ ୨,୪୦,୦୦୦ ଟଙ୍କା ସ୍ତରରେ କାରବାର କରିଥିଲା ।
ବିଶ୍ଳେଷକଙ୍କ ଅନୁଯାୟୀ, ଆମେରିକୀୟ ଡଲାର କ୍ରମାଗତ ଭାବେ ମଜବୁତ ହେଉଥିବାରୁ ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ଡଲାରକୁ ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ବିକ୍ରି ବଢ଼ିବାରେ ଲାଗିଛି।
ଏଚ୍ଡିଏଫ୍ସି ସିକ୍ୟୁରିଟିଜ୍ର ବରିଷ୍ଠ କମୋଡିଟି ବିଶ୍ଳେଷକ ସୌମିଲ ଗାନ୍ଧୀଙ୍କ କହିବାନୁସାରେ, ଡଲାର ଇଣ୍ଡେକ୍ସ ଏକ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହାର ସିଧାସଳଖ ପ୍ରଭାବ ସୁନା ମୂଲ୍ୟ ଉପରେ ପଡ଼ିଛି। ଏହା ବ୍ୟତୀତ ଆମେରିକାରେ ସୁଧ ହାର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ସ୍ତରରେ ରହିପାରେ ବୋଲି ଆଶା କରାଯାଉଛି, ଯାହା ସୁନା ଚାହିଦାକୁ ପ୍ରଭାବିତ କରୁଛି।
ବିଶ୍ୱ ବଜାରରେ ମଧ୍ୟ ମୂଲ୍ୟବାନ ଧାତୁ ଉପରେ ଚାପ ବଜାୟ ରହିଛି। ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୬୦.୭୦ ଡଲାର ବା ୧.୪୪ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ପିଛା ୪,୧୪୮.୪୫ ଡଲାରରେ ପହଞ୍ଚିଛି । ସେହିପରି ରୁପା ମଧ୍ୟ ୧.୫୧ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ ୬୪.୭୩ ଡଲାରରେ କାରବାର କରୁଥିବା ଦେଖାଯାଇଛି ।
ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା-ଇରାନ ଶାନ୍ତି ଚୁକ୍ତିର ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟ ବଜାର ଉପରେ ପ୍ରଭାବ ପକାଉଛି । ବର୍ତ୍ତମାନ ନିବେଶକମାନେ ବିଶ୍ୱ ଅର୍ଥନୈତିକ ସଙ୍କେତ ଏବଂ ଆମେରିକାର ମୁଦ୍ରିକ ନୀତି (Monetary Policy) ଉପରେ ନଜର ରଖିଛନ୍ତି, ଯାହାର ପ୍ରଭାବ ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟରେ ଦେଖିବାକୁ ମିଳିପାରେ ।
Dharitri – Odisha’s No.1 Odia Daily