୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଆନ୍ତର୍ଜାତୀୟ ବଜାରରେ ମଜବୁତ ସ୍ଥିତି ଏବଂ ବୈଶ୍ୱିକ କାରଣ ଯୋଗୁ ଭାରତୀୟ ବଜାରରେ ଏହି ପ୍ରଭାବ ପଡ଼ିଛି। ଗୁରୁବାର ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୩,୪୦୦ ଟଙ୍କା ଏବଂ ରୁପା କିଲୋଗ୍ରାମ ପ୍ରତି ୫,୦୦୦ ଟଙ୍କା ବୃଦ୍ଧି ଘଟିଛି।
ଦର ବୃଦ୍ଧି ପରେ ଦିଲ୍ଲୀରେ ୯୯.୯ ପ୍ରତିଶତ ବିଶୁଦ୍ଧତା ବିଶିଷ୍ଟ ସୁନା ଦର ବୁଧବାରର ୧,୫୬,୧୦୦ ଟଙ୍କାରୁ ବୃଦ୍ଧି ପାଇ ସମସ୍ତ କର ସହିତ ୧,୫୯,୫୦୦ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ମୂଲ୍ୟ ମଧ୍ୟ ୨,୩୫,୫୦୦ ଟଙ୍କାରୁ ୫,୦୦୦ ଟଙ୍କା ମହଙ୍ଗା ହୋଇ ସମସ୍ତ କର ସହିତ କିଲୋଗ୍ରାମ ପ୍ରତି ୨,୪୦,୫୦୦ ଟଙ୍କା ଛୁଇଁଛି।
ବଜାର ବିଶେଷଜ୍ଞଙ୍କ ଅନୁସାରେ, ଆମେରିକୀୟ ଟ୍ରେଜେରୀ ୟିଲ୍ଡ (ବଣ୍ଡ ରିଟର୍ଣ୍ଣ) ଉଚ୍ଚ ସ୍ତରରୁ ତଳକୁ ଖସିବା, ଡଲାର ମୂଲ୍ୟ ହ୍ରାସ ପାଇବା ଏବଂ ନୂତନ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ନିବେଶକମାନେ ସୁରକ୍ଷିତ ନିବେଶ ଭାବେ ସୁନା-ରୁପା ପ୍ରତି ଆକୃଷ୍ଟ ହୋଇଛନ୍ତି। ଏହାଛଡ଼ା ଆମେରିକାରେ ବେସରକାରୀ ନିଯୁକ୍ତି ଆକଳନ ଆଶାଠାରୁ ଦୁର୍ବଳ ରହିବା ଯୋଗୁ ଫେଡେରାଲ ରିଜର୍ଭର କଠୋର ନୀତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ବଜାରକୁ ସପୋର୍ଟ କରିଛି। ଆଗାମୀ ଦିନରେ ସୁନା ଓ ରୁପା ଦରରେ ଆହୁରି ଅସ୍ଥିରତା ଦେଖାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

Share