ତାଲାବନ୍ଦ ଘରୁ ସୁନାଗହଣା ଚୋରି: ଗିରଫ ହେଲେ ୫ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୨ା୬: ଟାଉନ ଥାନା ଅଧୀନ ତୁଳସୀନଗର ଅଷ୍ଟମ ଲାଇନରେ ରହୁଥିବା ସିଏଚ.ଭାସ୍କର ରାଓ ଆଚାରୀଙ୍କ ଘରୁ ଗତ ୨୫ ତାରିଖରେ ସୁନାଗହଣା ଓ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ୪ ଲୁଟେରାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣିନୁଆଗାଁ ଥାନା ଅଧୀନ ସୋମନାଥ ନଗର ଖଜୁରିଆ ରୋଡର ଶେଖ ଆଶୁ, ଟାଉନ ଥାନା ଅନ୍ତର୍ଗତ ନିଳାଦ୍ରୀବିହାର ୫ମ ଲାଇନର ଇରଫାନ ବେଗ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତିନଗର ମହମ୍ମଦ ବାଶିର, ସୋମନାଥନଗରର ଶେଖ ସମୀର ଓ ଚୋରି ସାମଗ୍ରୀ କ୍ରୟ କରିଥିବା ବଡବଜାର ଥାନା ଅନ୍ତର୍ଗତ ବାଲାଜୀପେଣ୍ଠର ଜାକିର ହୁସେନ ମଲ୍ଲିକ। ସେମାନଙ୍କ ନିକଟରୁ ଏକ ରୁପା ବିସ୍କୁଟ, ୫୦ ଗ୍ରାମର ସୁନା ଗହଣା ଜବତ କରିଛି।

ଭାସ୍କରଙ୍କ ଘରେ ତାଲା ପଡ଼ିଥିବା ଜାଣିବା ପରେ ଶେଖ ଆଶୁ ଚୋରି କରିବାକୁ ଷଡ଼଼ଯନ୍ତ୍ର କରିଥିଲେ। ପରେ ତାଙ୍କ ନେତୃତ୍ୱରେ ଚୋରି ହୋଇଥିଲା ବୋଲି ଅଭିଯୁକ୍ତଙ୍କୁ ଜେରା ବେଳେ ପୋଲିସ ଜାଣିବାକୁ ପାଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୯୯/୨୩) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ଗତ ୨୧ ତାରିଖରେ ସିଏଚ୍‌. ଭାସ୍କର ରାଓ ଆଚାରୀ ଘରେ ତାଲା ଦେଇ ନିଜ ପରିବାର ସହ ସୀମାଞ୍ଚଳମ ନୃସିଙ୍ଗନାଥ ଦର୍ଶନ ପାଇଁ ଯାଇଥିଲେ। ତାଙ୍କ ଘରେ କାମ କରୁଥିବା ମହିଳା ୨୫ତାରିଖରେ ଘରକୁ ଯାଇଥିବା ବେଳେ ଗ୍ରୀଲ ଓ ଭିତର କବାଟ ଖୋଲାଥିବା ଦେଖି ଘର ମାଲିକ ଭାସ୍କରଙ୍କୁ ଫୋନ କରି ଜଣାଇଥିଲେ। ଭାସ୍କର ବ୍ରହ୍ମପୁରରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଏହା ଜଣାଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।