ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟେରାମାନେ ଲୁଟିନେଇଥିବା ନେଇ ବୁଧବାର ଚିତ୍ତରଞ୍ଜନଙ୍କ ଭାଇ ମନୋଜ ଥାନାରେ ଅଭିଯୋଗ କରିଛନ୍ତି। ଲୁଟ ହୋଇଥିବା ଅଳଙ୍କାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ମନୋଜ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଖବର ପାଇ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ଦାସ ଓ ଏଏସ୍ଆଇ ମାମୁନି ସିଂଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଆଧାରରେ ତଦନ୍ତ ଜାରି ରଖିଛନ୍ତି। ତେବେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ଆସିବା ପାଇଁ ବ୍ୟବସ୍ଥା ଥିବାରୁ ଚୋରି ଯାଇଥିବା ଘରକୁ ସମ୍ପୂର୍ଣ୍ଣ ତାଲା ପକାଯାଇ ରଖାଯାଇଛି। ଚିତ୍ତରଞ୍ଜନ ଘରକୁ ଫେରିବା ପରେ ନଗଦଟଙ୍କା ସୁନା ଅଳଙ୍କାର କେତେ ଚୋରି ହୋଇଛି ସେ ବିଷୟରେ ପ୍ରକୃତ ତଥା ଜଣାପଡ଼ିବ।