ନଳକୂପରୁ ବାହାରୁଛି ସୁନା ଭଳି ପଦାର୍ଥ

ଖପ୍ରାଖୋଲ,୨୪ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସୁନା ଖଣି ଥିବା ନେଇ ସବୁଠି ଚର୍ଚ୍ଚା। ବ୍ଲକର ନାନ୍ଦୁପଲା ଗାଁର ଜଣେ ବ୍ୟକ୍ତିଙ୍କ ଗଭୀର ନଳକୂପରୁ ସୁନା ଭଳି ଚକ୍‌ ଚକ୍‌ କରୁଥିବା ପଦାର୍ଥ ବାହାରୁଥିବା ଜଣାପଡିବା ପରେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚତ୍ଛି ା

ପ୍ରକାଶ ଯେ, ନାନ୍ଦୁପଲା ଗାଁର ଜାବେଦ ମହମ୍ମଦ ନାମକ ଜଣେ ଚାଷୀ ଛଞ୍ଚାଣବାହାଲି ଗାଁ ନିକଟରେ ଗତ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଳିଥିବା ବେଳେ ଗୁରୁବାର ପମ୍ପ ଲଗାଇ ପାଣି ବାହାର କରିଥିଲେ। କିନ୍ତୁ ନଳକୂପରୁ ପ୍ରଥମ କରି ବାହାରିଥିବା ବାଲି ମିଶା ପାଣିରେ ସୁନାଭଳି ଚକ୍‌ ଚକ୍‌ କରୁଥିବା ପଦାର୍ଥ ମିଶିଥିବାର ଚାଷୀ ଜଣକ ଦେଖିଥିଲେ। ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ କରି ଅନ୍ୟମାନଙ୍କୁ କହିଥିଲେ। ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣାସ୍ଥଳରେ ଶୁକ୍ରବାର ପହଞ୍ଚି ସମ୍ପୃକ୍ତ ଚାଷୀଙ୍କୁ ଭେଟି ପଚରାଉଚରା କରିଥିଲେ। ଏଥିସହ ସୁନା ଭଳି ପଦାର୍ଥ ମିଶା ଚକ ଚକ କରୁଥିବା ବାଲି ସଂଗ୍ରହ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରେ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍‌ ଚକ୍‌ କରୁଥିବା ମାଟି ସଂଗ୍ରହ କରିଛୁ। ଜିଲା ଖଣି ବିଭାଗ ସହ ଆଲୋଚନା ହୋଇଛି। ସଂଗୃହୀତ ବାଲି ପରୀକ୍ଷା ପରେ ପ୍ରକୃତରେ ସୁନା କି ନୁହେଁ ଜଣାପଡ଼ିବ ବୋଲି କହିଛନ୍ତି।