ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିଲେ, ବନ୍ଦ ଘରୁ ସୁନାଗହଣା ସହ ୩ ଲକ୍ଷ ଲୁଟିନେଲେ…

କଲ୍ୟାଣସିଂହପୁର,୨୫।୪(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଦିନକୁ ଦିନ ଚୋରି ଓ ଲୁଟ୍‌ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କଲ୍ୟାଣସିଂହପୁର ଦାନୁ ସାହିରେ ସୁଶାନ୍ତ ସେନାପତିଙ୍କ ଘରେ କେହି ନ ଥିବାରୁ ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ସୁନାଗହଣା ସହ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ସୁଶାନ୍ତ ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ନିମନ୍ତେ ପରିବାର ସହ ଗତ ମଙ୍ଗଳବାର ଭଞ୍ଜନଗର ଯାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ପଛ ପଟ ଦ୍ୱାରକୁ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ପରେ ଘର ଭିତରେ ଥିବା ଆଲମାରିକୁ ଭାଙ୍ଗି ସୁନାଗହଣା ଓ ନଗଦ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ସୁନାଚେନ୍‌, ଦୁଇଟି ମୁଦି, କାନ ଫୁଲ, ଗୋଟିଏ ସୁନାହାର ଓ ପ୍ରାୟ ୩ ଲକ୍ଷ ଟଙ୍କା ନଗଦ ରହିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରିବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share