ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହେବା ପରେ ଝରିଗାଁ ପୋଲିସ ଦୁଇ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି।
ସୂଚନାନୁଯାୟୀ, ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗାଉଁଟିଆଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲଛମନ ଠାକୁରଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିଲା। ଘଟଣା ନେଇ ଶ୍ରୀ ଠାକୁର ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀଙ୍କ ନେତୃତ୍ୱରେ ଏକ କମିଟି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ଝରିଗାଁ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ଉପସ୍ଥିତ ରହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଝରିଗାଁ ବ୍ଲକ ଧନପୁର ଗ୍ରାମର ଉମାକାନ୍ତ ହରିଜନ(୨୨) ଏବଂ ଉମରକୋଟ ବ୍ଲକ ସେମଳା ଗ୍ରାମର ଦଳସାୟୀ ମହରା(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି। ସେହିଭଳି ସେମାନଙ୍କଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା, ଗୋଟିଏ ବାଇକ ଓ ୩ଟି ଫୋନ ସହ କିଛି ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ଦେଇଥିଲେ। ତେବେ ଚୋରି ଅଭିଯୋଗରେ ଆଉ କିଛି ଜଣ ସମ୍ପୃକ୍ତ ଥିବା ସହ ତଦନ୍ତ ଜାରି ରହିଥିବା ଯୋଗୁ ଅଭିଯୁକ୍ତମାନଙ୍କ ଠିକଣା ଗୁପ୍ତ ରଖାଯାଇ ଥିବା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଝରିଗାଁ ଥାନା ଅଧିକାରୀ ରଚିତା ମାଡକାମୀଙ୍କ ସହ ଉମରକୋଟ ଥାନା ଅଧିକାରୀ ଯୁଗଳ ଶବର ଓ ଅନ୍ୟମାନେ ଉପସ୍ଥିତ ଥିଲେ।