Categories: ବାଣିଜ୍ୟ

କ୍ରମାଗତ ହ୍ରାସ ପାଉଛି ସୁନା, ରୁପା ଦର

ଭୁବନେଶ୍ୱର,୩୧।୧: ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ ଦେଶରେ ସୁନା ଓ ରୁପା ଦର ହ୍ରାସ ପାଉଛି। ଏମ୍‌ସିଏକ୍ସରେ ସୁନା ଦର ଶନିବାର ୦.୩୩ % ହ୍ରାସ ଘଟି ୧୦ ଗ୍ରାମ ସୁନା ପିଛା ୪୮,୭୦୨ ଟଙ୍କା ଦେବାକୁ ପଡୁଛି। ସେହିଭଳି ରୁପା ଦର ମଧ୍ୟ ୧% ହ୍ରାସ ଘଟି କିଲୋ ପିଛା ୬୫,୮୬୬ ଟଙ୍କାରେ ରହିଛି। ଶୁକ୍ରବାର ସୁନା ଦରରେ ୦.୧୧% ଏବଂ ରୁପାରେ ୦.୬୪% ହ୍ରାସ ଘଟିଛି। ଗତ ଅଗଷ୍ଟରେ ସୁନା ଦର ରେକର୍ଡ ୫୬,୩୦୦ ଟଙ୍କା ରହିଥିଲା। ସେହି ମୂଲ୍ୟ ତୁଳନାରେ ସୁନା ଦର ବର୍ତ୍ତମାନ ପ୍ରାୟ ୭,୫୦୦ ଟଙ୍କା କମ୍‌ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶନିବାର ସୁନା ଦର ୦.୩ % ହ୍ରାସ ଘଟି ଆଉନ୍ସ ପିଛା ୧୮୩୯.୨୧ ଡଲାର ରହିଛି। ସେହିପରି ରୁପା ଦର ମଧ୍ୟ ୦.୨% ହ୍ରାସ ଘଟି ଆଉନ୍ସ ପିଛା ୨୫.୧୮ ଡଲାର ରହିଛି। ଅନ୍ୟପକ୍ଷେ ପ୍ଲାଟିନମ୍‌ ଦର ୦.୨% ହ୍ରାସ ପାଇ ୧୦୬୩.୭୬ ଡଲାର ରହିଛି। ୨୦୨୦ରେ ବିଶ୍ବରେ ସୁନା ଚାହିଦା ଗତ ୧୧ ବର୍ଷ ମଧ୍ୟରେ ସବୁଠୁ କମ୍‌ ରହିଛି ବୋଲି ୱାଲର୍‌ଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟରୁ ଜଣାପଡିଛି। ଗତବର୍ଷ ବିଶ୍ବରେ ସୁନାର ଚାହିଦା ୨୦୧୯ ତୁଳନାରେ ୧୪% ହ୍ରାସ ଘଟି ୩୭୫୯.୬ ଟନ୍‌ ରହିଛି। ୨୦୦୯ ଠାରୁ ପ୍ରଥମ ଥର ପାଇଁ ସୁନାର ଚାହିଦା ୪ ହଜାର ଟନ୍‌ ତଳେ ରହିଛି। ଭୁବନେଶ୍ବରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଗତ ସପ୍ତାହ ମଧ୍ୟରେ ୨୨ କ୍ୟାରେଟ୍‌ ସୁନା ଦର ପାଖାପାଖି ୧୩୦୦ ଟଙ୍କା ହ୍ରାସ ପାଇଛି। ଶନିବାର କେତେକ ପ୍ରମୁଖ ଶୋ’ରୁମର ସୁନା ଦର ୧୦ ଗ୍ରାମ ପିଛା ୪୯,୩୭୦ ଟଙ୍କା(୨୨କ୍ୟାରେଟ୍‌) ରହିଥିବାବେଳେ ରୁପା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ରହିଛି।

Share