ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦର ୧.୨୫ ଲକ୍ଷ ଟଙ୍କା ତଳକୁ ଖସି ଆସିଥିବା ବେଳେ ରୂପା ଦର ୧.୫୦ ଲକ୍ଷ ଟଙ୍କା ତଳେ କାରବାର କରୁଛି। ଗୁରୁ ନାନକ ଜୟନ୍ତୀ ଅବସରରେ ମଙ୍ଗଳବାର ଏମ୍‌ସିଏକ୍ସରେ ସନ୍ଧ୍ୟା ୫ଟାରୁ କାରବାର ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସୋମବାର ସୁନା ଓ ରୂପା ଦରରେ ଭଲ ବୃଦ୍ଧି ଦେଖିବାକୁ ମିଳିଥିଲା। ବଜାର ବିଶେଷଜ୍ଞଙ୍କ ମତରେ, ଆମେରିକାର ଫେଡେରାଲ ରିଜର୍ଭ (Fed) ନୀତିର ନିଷ୍ପତ୍ତି ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ସୁନା ଓ ରୂପା ଦରରେ ଏଭଳି ଉତଥାନ-ପତନ ଜାରି ରହିପାରେ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ସବା ଲକ୍ଷ ଟଙ୍କା ତଳେ କାରବାର କରୁଥିବା ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ସନ୍ଧ୍ୟା ୭ଟା ୪୦ ମିନିଟରେ ସୁନା ଦର ୧,୪୫୬ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୨୪,୫୪୦ ଟଙ୍କାରେ କାରବାର କରୁଥିଲା। କାରବାର ସମୟରେ ସୁନା ୧,୫୯୪ ଟଙ୍କା ଖସି ପ୍ରତି ୧୦ ଗ୍ରାମ ପିଛା ୧,୨୪,୪୦୨ ଟଙ୍କା ସ୍ତରକୁ ମଧ୍ୟ ଖସିଆସିଥିଲା। ସନ୍ଧ୍ୟା ୫ଟାରେ ବଜାର ଖୋଲିବା ସମୟରେ ସୁନା ପ୍ରତି ୧୦ ଗ୍ରାମ ପିଛା ୧,୨୪,୪୪୧ ଟଙ୍କାରେ ଖୋଲିଥିଲା। ଏହାର ଗୋଟିଏ ଦିନ ପୂର୍ବେ ସୋମବାର ସୁନା ଦରରେ ଭଲ ବୃଦ୍ଧି ପରିଲକ୍ଷିତ ହୋଇଥିଲା।

ଅନ୍ୟପକ୍ଷରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ଦର କିଲୋଗ୍ରାମ ପିଛା ୧.୫୦ ଲକ୍ଷ ଟଙ୍କା ତଳକୁ ଖସିଆସିଛି। ସନ୍ଧ୍ୟା ୭ଟା ୪୦ ମିନିଟରେ ରୂପା ଦର ୪,୫୮୯ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୧,୪୯,୬୨୮ ଟଙ୍କାରେ କାରବାର କରୁଥିବା ଦେଖାଯାଇଛି। କାରବାର ସେସନରେ ରୂପା ୪,୯୮୪ ଟଙ୍କା ଖସି ୧,୪୯,୨୩୩ ଟଙ୍କା ସ୍ତରରେ ପହଞ୍ଚିଥିଲା। ଆଜି ସନ୍ଧ୍ୟାରେ ରୂପା ୧,୪୯,୨୩୩ ଟଙ୍କାରେ କାରବାର ଆରମ୍ଭ କରିଥିଲା। ସୋମବାର ଦିନ ରୂପା ଦରରେ ବେଶ୍ ବୃଦ୍ଧି ଘଟିଥିଲା ​​ଏବଂ ଏହା ₹୧,୫୪,୨୧୭ ରେ ବନ୍ଦ ହୋଇଥିଲା।

Share