ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସେହି ଗ୍ରାମର କାହ୍ନା ଓରଫ୍ କେଶବ ବେହେରା ଓ ବାଲି ଓରଫ୍ ଜି. ଚନ୍ଦନ ରାଓ। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ମଙ୍ଗଳସୂତ୍ର, ହଳେ କାନଫୁଲ, ୫ ହଜାର ଟଙ୍କା ଏବଂ ଗୋଟିଏ ସୁଜୁକି ମୋଟରସାଇକେଲ ଜବତ କରିଛି।
ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସୂଚନା ଅନୁଯାୟୀ, ଗତ ୨୦ ଓ ୨୧ ତାରିଖ ମଧ୍ୟବର୍ତ୍ତୀ ରାତିରେ ପୁରୁଣା ଛତ୍ରପୁର ଗ୍ରାମର ବିନତି ବେହେରା (୪୬) ଘରେ ତାଲା ପକାଇ କୌଣସି କାମରେ ଛତ୍ରପୁର ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର କବାଟ ତାଲା ଭାଙ୍ଗି ଭିତରେ ଥିବା ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ।
ଏ ନେଇ ବିନତି ଗତ ୨୩ ତାରିଖରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୫୮୬/୨୬ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଏହି ଘଟଣାରେ ସେହି ଗ୍ରାମର ଦୁଇଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।
ଅଭିଯୁକ୍ତଙ୍କ ନିକଟରୁ ପ୍ରଥମେ ୫ ହଜାର ଟଙ୍କା ଜବତ କରାଯାଇଥିଲା। ସେହିପରି ଲୁଟ୍ ହୋଇଥିବା ସୁନା ମଙ୍ଗଳସୂତ୍ର ଓ କାନଫୁଲକୁ ବ୍ରହ୍ମପୁରସ୍ଥିତ ମଣପୁରମ୍ ଗୋଲ୍ଡରେ ବନ୍ଧକ ରଖାଯାଇଥିବା ଜଣାପଡ଼ିବା ପରେ ପୁଲିସ ସେଠାରୁ ମଧ୍ୟ ଅଳଙ୍କାର ଜବତ କରିଥିଲା। ଏହାସହ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଏଭଳି ଅନ୍ୟ କୌଣସି ମାମଲା ରହିଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି।