ନୂଆଦିଲ୍ଲୀ,୨୧।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୁନାରେ ରେନିୟମ (Rhenium) ଏବଂ ଇରିଡିୟମ (Iridium) ଭଳି ଧାତୁର ବ୍ୟବହାର କରି ଏହାର ଓଜନ ବଢ଼ାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଭଳି ମିଶ୍ରଣ ଦ୍ୱାରା ସୁନାର ଓଜନ ବଢ଼ିପାରେ, କିନ୍ତୁ ଏହାର ଶୁଦ୍ଧତା ବଢ଼େ ନାହିଁ। ଏହି ପ୍ରସଙ୍ଗକୁ ନେଇ ଅଲ ଇଣ୍ଡିଆ ଜେମ ଆଣ୍ଡ ଜୁଏଲେରୀ ଡୋମେଷ୍ଟିକ କାଉନସିଲ (GJC) ପକ୍ଷରୁ ଭାରତୀୟ ମାନକ ବ୍ୟୁରୋ (BIS)କୁ ସତର୍କ କରାଯାଇଛି।
ତେବେ GJC ପକ୍ଷରୁ ଗ୍ରାହକ ଏବଂ ଜୁଏଲେରୀ ବ୍ୟବସାୟୀମାନଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ଅପିଲ କରାଯାଇଛି। ସଂସ୍ଥାର କହିବା ଅନୁଯାୟୀ, BIS ଏହି ମାମଲାକୁ ଗୁରୁତ୍ୱର ସହ ନେଉଛି। ଏହାସହ ସୁନା କ୍ରୟ ଏବଂ ଏହାର ଗୁଣବତ୍ତା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ମଜଭୁତ କରିବା ପାଇଁ GJC ଜୁଏଲର୍ସମାନଙ୍କୁ ପରାମର୍ଶ ଦେଇଛି।
ସମ୍ୱାଦ ସଂସ୍ଥା PTI ସୂଚନା ମୁତାବକ, କେତେକ ସ୍ଥାନରେ ସୁନାରେ ରେନିୟମ ଏବଂ ଇରିଡିୟମ ଆଧାରିତ ମିଶ୍ର ଧାତୁର କଥିତ ବ୍ୟବହାର ସମ୍ପର୍କରେ ସୂଚନା ମିଳିଛି। ଆଶଙ୍କା କରାଯାଉଛି ଯେ ଏହି ଧାତୁଗୁଡ଼ିକୁ ମିଶାଇ ସୁନାର ଓଜନ ବଢ଼ାଯାଉଛି, ଯେତେବେଳେ କି ସେହି ଅନୁପାତରେ ଏହାର ଶୁଦ୍ଧତା ବଢ଼ୁନାହିଁ।
GJC ଚେୟାରମ୍ୟାନ ରାଜେଶ ରୋକଡ଼େ କହିଛନ୍ତି ଯେ ଏଭଳି ଖବରକୁ ନେଇ ସମ୍ପୂର୍ଣ୍ଣ ଜୁଏଲେରୀ ଶିଳ୍ପ ଏବଂ ସୁନା କିଣୁଥିବା ଲୋକମାନଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। BIS ଏହି ମାମଲାକୁ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛି।
GJC ସମସ୍ତ ଜୁଏଲର୍ସ ଏବଂ ଗ୍ରାହକଙ୍କୁ ଅନୁରୋଧ କରିଛି ଯେ ଯଦି ସେମାନଙ୍କୁ ସୁନାରେ ମିଶ୍ରଣ, ଠକେଇ କିମ୍ୱା କୌଣସି ପ୍ରକାର ଅନିୟମିତତା ନେଇ ସନ୍ଦେହ ହୁଏ, ତେବେ ତୁରନ୍ତ ଏହାର ଅଭିଯୋଗ କରନ୍ତୁ। GJC ସହିତ ସିଧାସଳଖ BISରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇପାରିବ।
ର୍ନିମାତା, ହୋଲସେଲ ବ୍ୟବସାୟୀ ଏବଂ ସପ୍ଲାୟରମାନଙ୍କଠାରୁ କିଣାଯାଉଥିବା ସୁନାର କଡ଼ା ଗୁଣବତ୍ତା ଯାଞ୍ଚ କରିବା ପାଇଁ ସଂସ୍ଥା ଜୁଏଲର୍ସମାନଙ୍କୁ ପରାମର୍ଶ ଦେଇଛି। ଗ୍ରାହକଙ୍କ ସୁରକ୍ଷା ଏବଂ ବିଶ୍ୱାସକୁ ସର୍ୱାଧିକ ପ୍ରାଥମିକତା ଦେବାକୁ କୁହାଯାଇଛି।
ସୁନା କିଣିବା ବେଳେ ଗ୍ରାହକ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
୧. କେବଳ ବିଶ୍ୱସ୍ତ ଏବଂ ପ୍ରତିଷ୍ଠିତ ଜୁଏଲର୍ସଙ୍କଠାରୁ ହିଁ ସୁନା କିଣନ୍ତୁ।
୨. କମ ମେକିଂ ଚାର୍ଜ (Making Charge) ଅଫର୍ ଲୋଭରେ ପଡ଼ନ୍ତୁ ନାହିଁ।
୩. ସୁନାର ହଲମାର୍କିଂ (Hallmarking) ସମ୍ପର୍କିତ ତଥ୍ୟ BIS Care ଆପରେ ନିଶ୍ଚିତ ଯାଞ୍ଚ କରନ୍ତୁ।
୪. ଗହଣା କିଣିବା ପରେ GST ଥିବା ପକ୍କା ବିଲ ନିଶ୍ଚିତ ନିଅନ୍ତୁ।
୫. ସୁନାରେ ମିଶ୍ରଣ କିମ୍ୱା ଠକେଇର ସନ୍ଦେହ ହେଲେ ସମ୍ପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରନ୍ତୁ।
GJC ଉପାଧ୍ୟକ୍ଷ ଅବିନାଶ ଗୁପ୍ତା କହିଛନ୍ତି ଯେ କେତେକ ସ୍ଥାନରୁ ଆସିଥିବା ରିପୋର୍ଟ କିମ୍ୱା ଗୁଜବ କାରଣରୁ ସମଗ୍ର ଜେମ୍ସ ଆଣ୍ଡ ଜୁଏଲେରୀ ସେକ୍ଟର ଉପରକୁ ପ୍ରଶ୍ନ ଉଠିବା ଉଚିତ ନୁହେଁ। BIS ହଲମାର୍କିଂ ନିୟମକୁ ସମ୍ପୂର୍ଣ୍ଣ ପାଳନ କରିବା ଏବଂ ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଜୁଏଲର୍ସମାନଙ୍କୁ ନିବେଦନ କରିଛନ୍ତି।
GJC କହିଛି ଯେ ମିଶ୍ରଣ କିମ୍ୱା ଠକେଇର କୌଣସି ମାମଲା ପ୍ରମାଣିତ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଆଗରେ ଏହାକୁ ଦୃଢ଼ ଭାବେ ଉଠାଯିବ। ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।